କରୋନା ସତର୍କତା ପାଇଁ ଭୁବନେଶ୍ୱରର ସମସ୍ତ ହାଟ ଉପରେ ଲାଗିଲା କଟକଣା, ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ଖୋଲା ରହିବ

ଭୁବନେଶ୍ଵର,ଏନ୍ଏନ୍ଏସ୍: ବିଶ୍ଵରେ ଆତଙ୍କ ଖେଳାଇଥିବା ମହାମାରୀ କରୋନା ସତର୍କତା ପାଇଁ ଭୁବନେଶ୍ଵର ମହାନଗର ନିଗମ ସମସ୍ତ ହାଟ ଉପରେ କଟକଣା ଜାରି କରିଛି। ଏଣିକି ମାର୍ଚ୍ଚ ୩୧ ଯାଏଁ ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ଖୋଲିବ ସମସ୍ତ ହାଟ।
ସନ୍ଧ୍ୟା ସମୟରେ ହାଟରେ ଭିଡ଼ ଜମୁଥିବାରୁ ସତର୍କତା ପାଇଁ ବିଏମସି କଟକଣା ଜାରି କରିଛି। ଏଣିକି ମାର୍ଚ୍ଚ ୩୧ ଯାଏଁ ସକାଳ ୬ଟାରୁ ହାଟ ଖୋଲି ସନ୍ଧ୍ୟା ୬ଟାରେ ବନ୍ଦ ହେବ। ଭୁବନେଶ୍ଵରର ୟୁନିଟ ୧ହାଟ, ୟୁନିଟ ୨ ମାର୍କେଟ, ସହିଦ ନଗର ମାର୍କେଟ, ରୁଚିକା ଡେଲି ମାର୍କେଟ, ଓଲଡ୍ ଟାଉନ୍ ଡେଲି ମାର୍କେଟ, ଇନ୍ଦ୍ରଧନୁ ଡେଲି ମାର୍କେଟ ଓ ଡମଣା ହାଟ ଉପରେ କଟକଣା ଜାରି କରାଯାଇଛି। ସେହିପରି ଅନ୍ୟ ହାଟଗୁଡ଼ିକର ସ୍ଥିତି ଜଣାଇବାକୁ ଜୋନାଲ ଡିସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ହେଲେ ଅନ୍ୟ ହାଟଗୁଡ଼ିକରେ ମଧ୍ୟ କଟକଣା ଲାଗିବ ବୋଲି କୁହାଯାଇଛି। ଯଦି କେହି ନିୟମ ଉଲ୍ଲଙ୍ଘନ କରନ୍ତି ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ।

ସାରା ବିଶ୍ଵରେ ଆତଙ୍କ ସୃଷ୍ଟି କରିଥିବା କୋରୋନା ଭୂତାଣୁ ଏବ ଭାରତରେ କାୟା ବିସ୍ତାର କରିବାକୁ ଲାଗିଛି। ଦେଶରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୯ ଛୁଇଁଲାଣି। ସେମାନଙ୍କ ମଧ୍ୟରେ ୧୨୩ ଜଣ ଭାରତୀୟ ଥିବା ବେଳେ ୨୬ ଜଣ ବିଦେଶୀ ଅଛନ୍ତି। ଏହି ମହାମାରୀ ସହ ଲଢେଇ କରି ୧୪ ଜଣ ଲୋକ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ବେଳେ ୩ ଜଣ ମୃତ୍ୟୁବରଣ କରିଛନ୍ତି।