ନୂଆଦିଲ୍ଲୀ: ଦେଶରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, ଦେଶରେ ମୋଟ ୯୦ ହଜାର ୯୨୭ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏଥି ସହିତ ବିଶ୍ୱରେ ସର୍ବାଧିକ କରୋନା ଆକ୍ରାନ୍ତ ଦେଶର ସୂଚୀରେ ଭାରତ ୧୧ତମ ସ୍ଥାନରେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୯୮୭ଟି ନୂଆ ମାମଲା ସାମ୍ନାକୁ ଆସିଛି ଓ ୧୨୦ ଜଣଙ୍କର ମୃତ୍ୟୁ ଘଟିଛି।
ସୂଚନାନୁଯାୟୀ, ଦେଶରେ ମୋଟ ୯୦ ହଜାର ୯୨୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୮୭୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୪ ହଜାର ୧୦୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ମହାରାଷ୍ଟ୍ର ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ବେଳେ ରାଜ୍ୟର ଅବସ୍ଥା ଦିନକୁଦିନ ଖରାପ ହେବାରେ ଲାଗିଛି। ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୦୬ଟି ନୂଆ ମାମଲା ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ଟପିଛି। ମହାରାଷ୍ଟ୍ର ପରେ ଗୁଜୁରାଟ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି। ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୯୮୮ରେ ପହଂଚିଛି। ସେହିପରି ତୃତୀୟ ସ୍ଥାନରେ ତାମିଲନାଡ଼ୁ ରହିଥିବାବେଳେ ଦେଶର ରାଜଧାନୀ ଦିଲ୍ଲୀରେ ମଧ୍ୟ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି।