ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି। କୋଭିଡ-୧୯ ଭାଇରସର ଏପର୍ୟ୍ୟନ୍ତ ମୋଟ ପଜିଟିଭ ସଂଖ୍ୟା ୧ ଲକ୍ଷ ୫୨ ହଜାର ଅତିକ୍ରମ କରିଛି। ପ୍ରବାସୀ ଶ୍ରମିକ ଓ କର୍ମଜୀବୀମାନେ ନିଜ ନିଜ ରାଜ୍ୟକୁ ଫେରିଛନ୍ତି। ବିହାର, ପଶ୍ଚିମବଙ୍ଗ, ଆସାମ ଓ ଓଡ଼ିଶାରେ କରୋନା ଭାଇରସରେ ସଂକ୍ରମିତ ସଂଖ୍ୟା ଅଧିକ ବଢ଼ିବାରେ ଲାଗିଛି। କିନ୍ତୁ ଖୁସିର କଥା ଯେ, ଭାରତରେ କରୋନା ମୃତ୍ୟୁ ହାର ଅନ୍ୟ ଶକ୍ତିଶାଳୀ ତଥା ବିକାଶିତ ଦେଶ ତୁଳନାରେ କମ।
କରୋନା ମୁକାବିଲା ନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗାମୀ ଦିନରେ ଆହୁରି ଚ୍ୟାଲେଞ୍ଜ କରିବାକୁ ପଡ଼ିବ ବୋଲି ଗତକାଲି କହିଛନ୍ତି । ସେ ମହାମାରୀକୁ ନିୟନ୍ତ୍ରିତ କରିବା ଓ ଏହାକୁ ଶେଷ କରିବା ପାଇଁ ନୂଆଁ ରଣନୀତି ପ୍ରସ୍ତୁତ କରିବା ଦିଗରେ କାମ କରାଯାଉଛି ବୋଲି କହିଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ କରୋନାରେସର୍ବାଧିକ ମହାରାଷ୍ଟ୍ର, ଗୁଜୁରାଟ ଓ ତାମିଲନାଡୁ ପ୍ରଭାବିତ ହୋଇଛି। ସେହିପରି ପଂଜାବ, ମଧ୍ୟପ୍ରଦେଶ, ଛତିଶଗଡ଼, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ସମେତ ଅନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟରେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କିଛି ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ଯେ, ପ୍ରବାସୀ ଶ୍ରମିକ ଫେରି ନିଜ ଅଞ୍ଚଳକୁ ଯାଉଛନ୍ତି। ସେଠାରେ ସେମାନଙ୍କ ପ୍ରତି କଡ଼ା ନଜର ରଖାଯିବା ଦରକାର ଅଛି। କିନ୍ତୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଅନ୍ୟ ଦେଶ ତୁଳାନାରେ ଭାରତରେ କରୋନା ମୃତ୍ୟୁ ହାର କମ।
ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ମଙ୍ଗଳବାର କହିଛନ୍ତି, ଆମ ଦେଶରେ ଲୋକେ କରୋନା ସଂକ୍ରମଣରୁ ମୁକ୍ତ ହେବାରେ ହାର ବହୁତ ଭଲ ରହିଛି। ବର୍ତ୍ତମାନ ୪୧.୬୧ ପ୍ରତିଶତ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି। କୋଭିଡ-୧୯ରେ ମୃତକଙ୍କ ସଂଖ୍ୟା ଗତ ଏପ୍ରିଲ ୧୫ରେ ୩.୩ ପ୍ରତିଶତ ଥିଲା। ଏବେ ଏହା ହ୍ରାସ ପାଇ ୨.୮୭ରେ ପହଞ୍ଚିଛି। ଏହା ବିଶ୍ୱରେ ସବୁଠାରୁ କମ। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର କୁହାଯାଇଛି ଯେ, କରୋନା ଭାଇରସ ସଂକ୍ରମଣରେ ଏଯାଏଁ ୪,୩୩୭ ଜଣଙ୍କର ମୃତ୍ୟୁ ହୋଇଛି।