ରାଜ୍ୟର ସବୁ ଜିଲ୍ଲାରେ ହେବ କୋଭିଡ୍ ହସ୍ପିଟାଲ : ସ୍ୱାସ୍ଥ୍ୟ ମନ୍ତ୍ରୀ

ଝାରସୁଗୁଡା,ଏନ୍ଏନ୍ଏସ୍ : କରୋନାର ମୁକାବିଲା ତଥା କୋଭିଡ ହସ୍ପିଟାଲ ପ୍ରତିଷ୍ଠା ପାଇଁ ମଙ୍ଗଳବାର ଝାରସୁଗୁଡା ଜିଲ୍ଲା ଖଣିଜ ପାଣ୍ଠି ଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟର ସବୁ ଜିଲ୍ଲାରେ ଯୁଦ୍ଧକାଳୀନ ଭିତିରେ କୋଭିଡ୍ ହସ୍ପିଟାଲ ସ୍ଥାପନ କରାଯିବ ବୋଲି ଏହି ବୈଠକରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି। ସେ କହିଛନ୍ତି ଓଡିଶାବାସୀଙ୍କୁ କରୋନା କବଳରୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ଜିଲ୍ଲାରେ କୋଭିଡ ହସ୍ପିଟାଲ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସ୍ୱାସ୍ଥ୍ୟବିଭାଗ ବିଭିନ୍ନ ଘରୋଇ ହସପିଟାଲ ସହଯୋଗରେ କୋଭିଡ ହସ୍ପିଟାଲଗୁଡିକ ତିଆରି କରିବ। ଏହା ସହ ଆଜି କଟକ ବଡ ମେଡିକାଲରେ କେନ୍ଦ୍ର ସରକାର ଓ ଆସିଏମଆର ରକ୍ତ ନମୁନା ପରୀକ୍ଷଣ ପାଇଁ ସ୍ୱିକୃତୀ ଦେଇ ଥିବାବେଳେ ବୁର୍ଲ୍ଲା, ବ୍ରହ୍ମପୁର ପରି ମେଡିକାଲରେ ରକ୍ତ ନମୁନା ପରୀକ୍ଷଣର ସୁବିଧା ଉପଲ୍ୱଧ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସ ହ ଟୋଲିଫୋନ ଯୋଗେ ଆଲୋଚନା କରାଯାଇଛି ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି।

ସେହିପରି କରୋନା ମୁକାବିଲା ପାଇଁ ମାସ୍କ ଓ ଅନ୍ୟାନ୍ୟ ଆବଶ୍ୟକ ଉପକରଣ ଯୋଗାଇବା ପାଇଁ କେନ୍ଦ୍ର ସରକାର ପାଖରେ ଶ୍ରୀ ଦାସ ଦାବି କରିଛନ୍ତି ଏବଂ କେନ୍ଦ୍ର ପକ୍ଷରୁ ଶ୍ରୀଘ୍ର ଏହା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି।  ସେହିପରି ଝାରସୁଗୁଡାରେ କୋଭିଡ ହସ୍ପିଟାଲ ସ୍ଥାପନ ପାଇଁ ମଙ୍ଗଳବାର ଝାରସୁଗୁଡା ଜିଲ୍ଲା ଖଣିଜ ପାଣ୍ଠି ହଲରେ କେୟାର ହସପିଟାଲ ଓ ବିକାଶ ହସପିଟାଲ କର୍ତ୍ତୃପକ୍ଷଙ୍କ ସହ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଛି। କିପରି ଭାବରେ କୋଭିଡ ହସ୍ପିଟାଲ ଶ୍ରୀଘ୍ର ସ୍ଥାପନ କରାଯାଇ ପାରିବ ସେ ନେଇ ଆଲୋଚନା କରାଯାଇଛି। ଝାରସୁଗୁଡ଼ାରେ କୋଭିଡ୍ ହସପିଟାଲ ସ୍ଥାପନ ପାଇଁ ବ୍ଲାକ ଡାଇମଣ୍ଡ ସ୍କୁଲ କିମ୍ବା ଲହଣ୍ଡାବୁଡ଼ ଠାରେ ଥିବା ନବୋଦୟ ବିଦ୍ୟାଳୟ ଚିହ୍ନଟ କରାଯାଇଛି ।

ସେହିପରି ରଜ୍ୟର ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, ସୁନ୍ଦରଗଡ, ପୁରୀ, ବାଲେଶ୍ୱର, ଭଦ୍ରକ, ଅନୁଗୋଲ ଢେଙ୍କାନାଳ ପରି ସମସ୍ତ ଜିଲ୍ଲରେ କୋଭିଡ୍ ହସପିଟାଲ ଶୀଘ୍ର କାର୍ଯ୍ୟକାରୀ ହେବ ସେ ନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିପାଇଁ ଏକ ଉଚ୍ଚସ୍ତରୀୟ, ମନ୍ତ୍ରୀସ୍ତରୀୟ କମିଟି ଗଠନ କରି କରୋନାର ପ୍ରତିକାର ପାଇଁ ଆଲୋଚନା ତଥା ପଦକ୍ଷେପମାନ ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କରୋନାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ଖସଡା ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ, ୫ଟି ସଚିବ, ସ୍ୱସ୍ଥ୍ୟ ବିଭାଗ ସମସ୍ତେ ମାନବ ସମାଜକୁ କରୋନା ଦାଉରୁ ରକ୍ଷା କରିବା ପାଇଁ ଲାଗି ପଡିଛନ୍ତି।

ସରକାରଙ୍କ କରୋନା ମୁକାବିଲା ପାଇଁ ପ୍ରସ୍ତୁତ ଗାଇଡ ଲାଇନକୁ ଅବଳମ୍ବନ କରିବା ସହ ସାମାଜିକ ଦୂରତ୍ୱ ବଜାୟ ରଖି କରୋନା ମୁକାବିଲା ପାଇଁ ରାଜ୍ୟବାସୀଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ଶ୍ରୀ ଦାସ କହିଛନ୍ତି। ଆଜି ଝାରସୁଗୁଡା ଜିଲ୍ଲା ଖଣିଜ ପାଣ୍ଠିରେ ଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ଜିଲ୍ଲପାଳ ସରୋଜ କୁମାର ସାମଲ, ଅତିରିକ୍ତ ଜିଲ୍ଲପାଳ ପ୍ରଦୀପ କୁମାର ସାହୁ, ଜିଲ୍ଲ ମୁଖ୍ୟ ଚିକିତ୍ସା ଅଧିକାରୀ ଜଗଦିଶ ଚନ୍ଦ୍ର ବାରିକ, କୋୟାର ଓ ବିକାଶ ହସ୍ପିଟାଲ କର୍ତୁପକ୍ଷ ପ୍ରମୁଖଙ୍କ ସହ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।