୧୪୦ ଦିନ ଧରି ଲୋକମାନଙ୍କୁ ମାଗଣାରେ ଖାଦ୍ୟ, ବସ୍ତ୍ର ଯୋଗାଉଛନ୍ତି କରୋନା ଯୋଦ୍ଧା ପ୍ରତାପ ସାହୁ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତ ମାର୍ଚ୍ଚ ୧୦ ତାରିଖରୁ ଓଡ଼ିଶାରେ ଆତଙ୍କ ଖେଳାଇ ଆସିଥିବା ମହାମାରୀ କରୋନା ଇତି ମଧ୍ୟରେ ୫ମାସରୁ ଅଧିକ ସମୟ ବିତିଯାଇଛି। କରୋନାରୁ ମୁକ୍ତି ପାଇବା ପାଇଁ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଲକ୍ଡ଼ାଉନ ଓ ସଟଡ଼ାଉନ୍ର ଅବଧି ଯେତେ ଦିନ ପର୍ଯ୍ୟନ୍ତ ବଢି ଚାଲିଛି, ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସେହି ଅନୁପାତରେ ହୁ ହୁ ହୋଇ ବଢିଚାଲିଛି।

ଫଳରେ ଲୋକମାନଙ୍କର ଦୈନନ୍ଦିନ ଜୀବକାରେ ବାଧା ସୃଷ୍ଟି ହେବା ସହିତ ରୋଜଗାର ଅଭାବରୁ ଲୋକମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଓଡ଼ିଶାରେ ଲୋକମାନେ ଏକପ୍ରକାର ଆତଙ୍କିତ ଅବସ୍ଥାରେ ଥିଲାବେଳେ ଅର୍ଥ ଅଭାବରୁ କରୋନାରୁ ଦୂରେଇ ରହିବା ପାଇଁ ତଥା ନିଜ ଘରର ଚତୁଃପାଶ୍ୱର୍କୁ ସାନିଟାଇଜ କରିବା ସହିତ ନିଜର କୋଭିଡ ପରୀକ୍ଷା କରିବା ପାଇଁ ବାଧକ ସାଜିଛି ଅର୍ଥ। ଏହିଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ କରୋନା ଯୋଦ୍ଧା ଭାବେ ଉଭା ହୋଇଛନ୍ତି ସମାଜସେବୀ ପ୍ରତାପ ସାହୁ। ପ୍ରତାପ ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ କରିଥିବା ନିଜର ନିରନ୍ତର ସେବା ଆଜକୁ ୧୪୦ ଦିନରେ ପହଞ୍ଚିଛି। ପ୍ରତିଦିନ ସକାଳୁ ପ୍ରତାପ ନିଜର ଦୈନନ୍ଦିନ କାର୍ଯ୍ୟସାରି ସକାଳ ୬ଟାରୁ ଘରୁ ବାହାରି କାର୍ଯ୍ୟ ସରିବା ପର୍ଯ୍ୟନ୍ତ ନିଜର ସେବା ଜାରି ରଖିଥାନ୍ତି। ଅସହାୟ ଲୋକମାନଙ୍କୁ ସେମାନଙ୍କର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଯଥା ବସ୍ତ୍ର, ବିସ୍କୁଟ, ଅମୁଲ, ଗ୍ଲୁକୋନ ଡ଼ି, ଅଣ୍ଡା, ମିକ୍ସର, ସାବୁନ, ସର୍ଫ ଓ ସାମ୍ପୋ ଆଦି ଲୋକମାନଙ୍କୁ ବାଣ୍ଟିବା ସହିତ କରୋନାଠୁ ଦୂରେଇ ରହିବା ପାଇଁ ମାସ୍କ, ହ୍ୟାଣ୍ଡୱାସ୍ ଓ ସାବୁନ୍ ଆଦି ଯୋଗାଇ ଆସୁଛନ୍ତି ଓ ଦୈନିକ ୧୫୦ରୁ ୨୦୦ ଲୋକମାନଙ୍କ ଖାଇବା ପାଇଁ ଭାତ, ଡ଼ାଲି ସହିତ ମାଛ, ମାଂସ, ଚିଙ୍ଗୁଡ଼ି ଓ ଅଣ୍ଡା ତରକାରୀ ତିଆରି କରି ବୁଲି ବୁଲି ଗରିବ, ଅସହାୟ, ନିରୀହ ଓ ରାସ୍ତାକଡ଼ରେ ବସବାସ କରୁଥିବା ଲୋକ ତଥା ପ୍ରବାସୀ ଶ୍ରମିକମାନଙ୍କୁ ଯୋଗାଇ ଆସୁଛନ୍ତି। ଏହାସହିତ ଲୋକମାନଙ୍କୁ କରୋନା ସଂକ୍ରମିତ ନ ହେବା ପାଇଁ ପ୍ରତାପ ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲ୍, କଲେଜ, ଥାନା, ହସ୍ପିଟାଲ, କଟକ, ଭୁବନେଶ୍ୱର, ପୁରୀର ବିଭିନ୍ନ ବସ୍ତି ଓ ବସ୍ଷ୍ଟାଣ୍ଡ ଗୁଡ଼ିକ ବୁଲି ବୁଲି ସାନିଟାଇଜ କରିଥାନ୍ତି।

ଏଥିସହିତ ବିଭିନ୍ନ ପଶୁ, ପକ୍ଷୀ ଯଥା ବୁଲା କୁକୁର, ଗାଈ, ଷଣ୍ଢ ଓ ପାରାମାନଙ୍କୁ ମଧ୍ୟ ପ୍ରତଦିନ ଖାଦ୍ୟ ଯୋଗାଇ ଆସୁଛନ୍ତି। ପ୍ରତାପଙ୍କ ଏଭଳି ପ୍ରୟାସକୁ ସାଧାରଣ ଲୋକମାନେ ଭୂୟସୀ ପ୍ରଶଂସା କରିବା ସହିତ ସାନିଟାଇଜ ବାବଦକୁ ତାଙ୍କୁ ଯଦି କେହି କିଛି ଅର୍ଥ ପ୍ରଦାନ କରନ୍ତି, ତେବେ ପ୍ରତାପ ସେମାନଙ୍କ ଠାରୁ ଟଙ୍କାଟିଏ ବି ନିଅନ୍ତି ନାହିଁ। ଏ ବାବଦରେ ପ୍ରତାପ କୁହନ୍ତି, ମାର୍ଚ୍ଚ ୧୦ ତାରିଖରୁ ଆଜି ପର୍ଯ୍ୟନ୍ତ ଲୋକମାନଙ୍କୁ ସେବା ଯୋଗାଇ ଆସୁଛି ଓ ଓଡ଼ିଶାରେ ଯେତେଦିନ ପର୍ଯ୍ୟନ୍ତ କରୋନା ତାର କାୟାବିସ୍ତାର କରି·ଲିଥିବ, ସେତେଦିନ ପର୍ଯ୍ୟନ୍ତ ଲୋକମାନଙ୍କୁ ସେବା ଯୋଗାଇବା ସହିତ ସଚେତନ କରି ଚାଲିଥିବି। କିପରି ଲୋକମାନେ କରୋନରେ ଆକ୍ରାନ୍ତ ନହେବେ, ସେଇଟା ମୋର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି କରୋନା ଯୋଦ୍ଧା ପ୍ରତାପ ସାହୁ।