ଶହେରୁ ଖସିଲା ରାଜଧାନୀରେ କରୋନା ଗ୍ରାଫ୍, ଆଜି ୮୮ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତକାଲିଠୁ ଭୁବନେଶ୍ୱରରେ କରୋନା ସଂକ୍ରମଣ ସଂଖ୍ୟା ଶହେରୁ ତଳକୁ ଖସିଛି। ଭୁବନେଶ୍ୱର ମହାନଗର ନିଗମର ସୂଚନା ଅନୁସାରେ ଆଜି ରାଜ୍ୟରୁ ୮୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୭୧ଟି ଲୋକାଲ କେସ ହୋଇଥିବାବେଳେ ୧୭ଟି କ୍ୱାରେଣ୍ଟାଇନ ସେଣ୍ଟରର ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ଆଜି ଲୋକାଲରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବଡଗଡ଼, ଜାଗମରା ଓ ଓଲ୍ଡ ଟାଉନରୁ ୪ ଜଣ ଲେଖାଏଁ ଏବଂ ରସୁଲଗଡ଼ରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଆଇଆରସି ଭିଲେଜରୁ ୬ ଜଣ ଏବଂ ରସୁଲଗଡ଼ ଅଞ୍ଚଳରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ରାଜଧାନୀରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୨୮,୭୮୨ରେ ପହଞ୍ଚିଛି। ସେହିପରି ଆଜି ରାଜଧାନୀରେ ୨୩୦ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥ ସଂଖ୍ୟା ୨୬,୬୦୭କୁ ବୃଦ୍ଧି ପାଇଛି। ତେବେ ଭୁବନେଶ୍ୱରରେ ୧୫୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇସାରିଥିବାବେଳେ ବର୍ତ୍ତମାନ ୧୯୯୬ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।