ସମ୍ବଲପୁର,ଏନ୍ଏନ୍ଏସ୍: ରାଜ୍ୟରେ ଏବେ କରୋନା ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ଦୈନିକ ସଂକ୍ରମଣ ହାର ୪ ହଜାର ପାର୍ କରିବା ପରେ ତୃତୀୟ ଲହର ଯେ କେତେ ଭୟଙ୍କର ହେବାକୁ ଯାଉଛି ତାହା ସ୍ପଷ୍ଟ ହୋଇଛି।
ବର୍ତ୍ତମାନ ରାଜ୍ୟରେ ୫ ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଥିବା ବେଳେ ଏହି ସବୁ ଜିଲ୍ଲା ଗୁଡିକ ପୁରା ରାଜ୍ୟ ପାଇଁ ସଂକ୍ରମଣର ଭୟ ଆହୁରି ବଢାଇଛନ୍ତି। ରାଜ୍ୟରେ ସର୍ବାଧିକ କରୋନା ସଂକ୍ରମିତ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହେଉଥିବା ବେଳେ ଗତ କାଲି ଖୋର୍ଦ୍ଧାକୁ ରେଡ୍ ଜୋନ୍ ଭାବରେ ଘୋଷଣା କରାଯାଇଥିଲା।
ଏହାପରେ ସୁନ୍ଦରଗଡ଼ରେ ମଧ୍ୟ ସଂକ୍ରମଣ ହାର ବୃଦ୍ଧି ପାଇବାରୁ ସୁନ୍ଦରଗଡ ଜିଲ୍ଲା ବି ରେଡ୍ ଜୋନ୍ରେ ସାମିଲ ହୋଇଥିଲା। ଆଜି ରାଜ୍ୟରେ ଗତ ୨୪ ଘଣ୍ଟାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରକାଶ ପାଇବା ପରେ ସମ୍ବଲପୁର ଜିଲ୍ଲାକୁ ରେଡ୍ ଜୋନ୍ରେ ସାମିଲ କରାଯାଇଛି।
ଆଜି ସମ୍ବଲପୁର ଜିଲ୍ଲାରୁ ୪୦୦ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଯାହାକୁ ନେଇ ଏହି ଜିଲ୍ଲାରେ ଏବେ କରୋନା କଟକଣାକୁ କଡାକଡି କରାଯାଇଛି। ସେପଟେ ସଂକ୍ରମଣ ହାର ବୃଦ୍ଧି ପାଇଥିବାରୁ କଟକ ଓ ଝାରସୁଗୁଡାକୁ ୟେଲୋ ଜୋନ୍ ଭାବରେ ଘୋଷଣା କରାଯାଇଛି।