କରୋନା ଭୟ: ଏପ୍ରିଲ ୧୫ ପର୍ଯ୍ୟନ୍ତ ଦିଲ୍ଲୀରେ ଆଇପିଏଲ୍ ସ୍ଥଗିତ

ନୂଆଦିଲ୍ଲୀ,ଏଜେନ୍ସି: ଚାରିଆଡେ କରୋନା ଭୂତାଣୁର ସ୍ୱର ଗୁଞ୍ଜି ଉଠୁଥିବା ବେଳେ ବର୍ତ୍ତମାନ ଏହି ସ୍ୱରରେ ଆଇପିଏଲ୍ ସ୍ୱର ଫିକା ପଡ଼ିଛି। ସାରା ବିଶ୍ଵରେ ଏହି ଭୂତାଣୁ ହଇଚଇ କରୁଥିବା ବେଳେ ଏହା ଭାରତରେ ମଧ୍ୟ କାୟା ମେଲାଉଛି। ତେବେ ଆଜି ସୁଦ୍ଧା ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪କୁ ବୃଦ୍ଧି ପାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି।

ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରରେ ଜନଗହଳୀ ପୂର୍ଣ୍ଣ ଏରିଆକୁ ନଯିବା ପାଇଁ ସରକାର ସତର୍କ ସୂଚନା ଦେଇଥିବା ବେଳେ ଏ ନେଇ ବସିସିଆଇ ମଧ୍ୟ ଖେଳାଳିଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ୱ ଦେଇଛି। ଏ ନେଇ ଏପ୍ରିଲ ୧୫ ଯାଏଁ ଦିଲ୍ଲୀରେ ଆଇପିଏଏଲ ମ୍ୟାଚ୍ ସ୍ଥଗିତ ରଖିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏନେଇ ଆଜି ଘୋଷଣା କରିବା ସହ ଭିଡ଼ ସୃଷ୍ଟି କରୁଥିବା ସମସ୍ତ କ୍ରୀଡ଼ା ଆୟୋଜନକୁ ରଦ୍ଧ କରିଛନ୍ତି।

ମନୀଷ ସିସୋଦିଆ ଏନେଇ କହିଛନ୍ତି ଯେ, ଯେଉଁ ଖେଳ ସମୟରେ ହଜାର ହଜାର ଲୋକଙ୍କ ସମାଗମ ହେଉଛି ସେଭଳି ଖେଳର ଆୟୋଜନ ହେବ ନାହିଁ। ଏହା କରୋନା ଭୂତାଣୁ ସଂକ୍ରମଣକୁ ଅଟକାଇବା ପ୍ରାଥମିକ କାମ। ସମସ୍ତ ବଡ଼ କାର‌୍ୟ୍ୟକ୍ରମ ରଦ୍ଦ କରାଯିବ। କେବଳ ସେତିକି ନୁହେଁ କାଶ, ଥଣ୍ଡା ହେଲେ ନିଜକୁ ଘରେ ବନ୍ଦ ରଖିବାକୁ ସିସୋଦିଆ ନିର୍ଦ୍ଦେଶ ଦେଇଛନ୍ତି।
ସିସୋଦିଆ କହିଛନ୍ତି ଯେ, ଆମେ ଆଇପିଏଲ ଭଳି ସମସ୍ତ ଖେଳ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛୁ। ଦିଲ୍ଲୀରେ ସମସ୍ତ ପ୍ରକାରର ସମ୍ମିଳନୀ ଓ ସେମିନାର ବନ୍ଦ ରହିବ। ତେବେ ମାର୍ଚ୍ଚ ୨୯ରୁ ଆଇପିଏଲର ୭ଟି ମ୍ୟାଚ ହେବାର ଥିଲା। ମେଜବାନ ଦିଲ୍ଲୀ କ୍ୟାପିଟାଲସ୍ ଏବଂ କିଙ୍ଗସ ଇଲେଭେନ ପଞ୍ଜାବ ମଧ୍ୟରେ ମ୍ୟାଚ ହେବାର ଥିଲା।