ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ସବୁ ସରକାରୀ,ଘରୋଇ ସ୍କୁଲ ପରୀକ୍ଷା ସ୍ଥଗିତ କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ନୋଟିସ ଜାରି ହୋଇଛି। ଏ ନେଇ ସମସ୍ତେ ଭୟଭୀତ ଅବସ୍ଥାରେ ଥିବାବେଳେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ପୂର୍ବରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସ୍କୁଲ୍ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିବା ବେଳେ ଏବେ ସମସ୍ତ ପରୀକ୍ଷା ଘୁଞ୍ଚାଇବାକୁ ତଥା ଶିକ୍ଷକମାନଙ୍କୁ ସ୍କୁଲ୍ ଆସିବାକୁ ମନା କରାଯାଇଛି। ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏନେଇ ସୂଚନା ଦେଇଛନ୍ତି।
ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ବନ୍ଦ ରହିବ। ସେହିପରି ପ୍ରଥମରରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଶିକ୍ଷକମାନେ ମଧ୍ୟ ସ୍କୁଲ୍ ଯିବେ ନାହିଁ। ତେବେ ସ୍କୁଲ୍ ନଗଲେ ବି ଶିକ୍ଷକଙ୍କୁ ଫୋନ୍ରେ ଆଲର୍ଟ ରହିବାକୁ ନିର୍ଦ୍ଦେଶ ହୋଇଛି।
ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଜାରି ରହିବ ଓ ଖାତାଦେଖା ଚାଲିବ। ସେହିଭଳି ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତାକାଲି ଅପରାହ୍ଣ ୫ଟା ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ପିଜି କାଉନସିଲ ଚେୟାରମ୍ୟାନ ନର୍ଦ୍ଦେଶ ଦେଇଛନ୍ତି। ସ୍ଥିତିକୁ ନଜରରେ ରଖି କେବେ ଖୋଲିବ ତାହା ଜଣାଇ ଦିଆଯିବ।