କରୋନା ଇଫେକ୍ଟ: ଆଜି ଠାରୁ ବନ୍ଦ ହେଲା ରାଜ୍ୟର ବିଭିନ୍ନ ଧର୍ମୀୟ ଅନୁଷ୍ଠାନ, ବିଧାୟକଙ୍କ ଡାକ୍ତରଖାନା ପରିଦର୍ଶନ

ଦେବଗଡ଼,ଏନ୍ଏନ୍ଏସ୍: କରୋନା ଭୁତାଣୁର ସମ୍ଭାବ୍ୟ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ ଏପ୍ରିଲ ୧ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଧର୍ମିକ କାର୍ଯ୍ୟାନୁଷ୍ଠାନ ବନ୍ଦ ରହିବ। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ମାତ୍ର ଧର୍ମୀୟ ଭାବନା ଓ ରୀତିନିତି ଅନୁଯାୟୀ ଧର୍ମାନୁଷ୍ଠାନ ଗୁଡିକରେ ଦୈନନ୍ଦିନ କାର୍ୟ୍ୟ କରାଯିବ। ସେହିପରି ଜିଲ୍ଲାର ସାମୂହିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜିଲ୍ଲାର କୌଣସି ଅନୁଷ୍ଠାନ କୌଣସି ସାଂସ୍କୃତିକ କାର୍ୟ୍ୟକ୍ରମ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବାତିଲ କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଜାରି କରିଥିବା ଜଣାପଡିଛି। ସେହିପରି କରୋନା ଭୂତାଣୁ ସମ୍ଭାବ୍ୟ ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତତ୍ପର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଇସୋଲେସନ ୱାର୍ଡ ଖୋଲିବା ସହ ଡାକ୍ତରଖାନା ପରିସରରେ ସାବୁନରେ ହାତ ଧୋଇବା ପାଇଁ ବେସିନ ବ୍ୟବସ୍ଥା କରିଛି। ସେହିପରି ଅନ୍ୟ ରାଜ୍ୟକୁ କାମ କରିବାକୁ ଯାଇ ଫେରିଥିବା ବ୍ୟକ୍ତିଙ୍କ ରକ୍ତ ନମୁନା ସଂଗ୍ରହ ପାଇଁ ସ୍ୱତନ୍ତ୍ର ଲ୍ୟାବ ଖୋଲାଯାଇଛି। ଆଜି ଅନ୍ୟ ରାଜ୍ୟକୁ କାମ କରିବାକୁ ଯାଇ ଫେରିଥିବା ଅନୁନ୍ୟ ୩୦ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିବା ଜଣାପଡିଛି।

କରୋନା ପ୍ରଭାବ ଯୋଗୁଁ ପ୍ରତିଷେଧକ ପାଇଁ ଜିଲ୍ଲାର ଗ୍ରାମାଞ୍ଚଳରୁ ଅନ୍ୟ ରାଜ୍ୟ କିମ୍ବା ଦେଶରୁ ଫେରୁଥିବା କରୋନା ସନ୍ଦିଗ୍ଧଙ୍କ ପାଇଁ ଜିଲ୍ଲାରେ ଥିବା ୭୦ଟି ପଞ୍ଚାୟତ ମୁଖ୍ୟାଳୟର ବିଭିନ୍ନ ସ୍କୁଲ, କଲ୍ୟାଣ ମଣ୍ଡପ ଓ ସରକାରୀ କୋଠାରେ ୫୦ବ୍ୟକ୍ତିଙ୍କୁ ରଖି ଚିକିତ୍ସା ପାଇଁ ଅସ୍ଥାୟୀ ଆଇସୋଲେସନ ୱାର୍ଡ ଖୋଲା ଯାଇଛି। ଜିଲ୍ଲାରେ କରୋନା ସଂକ୍ରମଣ ରୋକିବା ନେଇ ପ୍ରଶାସନର ପ୍ରସ୍ତୁତିକୁ ଆଜି ନିଜେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ବୁଲି ଅନୁଧ୍ୟାନ କରିବା ସହ ଡାକ୍ତରଖାନା ପରିସରରେ ବରିଷ୍ଠ ନାଗରିକମାନଙ୍କୁ ମାସ୍କ ପିନ୍ଧାଇ ଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ପାଣିଗ୍ରାହୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମନୋଜ କୁମାର ଉପାଧ୍ୟାୟଙ୍କ ସହ ଆଲୋଚନା କରି ଜନସାଧାରଣଙ୍କ ସୁବିଧା ପାଇଁ ସମସ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।