ଝରିଗାଁ,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲାରେ ମହାମାରୀ କରୋନା ଯୋଗୁଁ ଗତ ୫ ମାସ ଧରି ବ୍ୟବସାୟୀମାନେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ସାଧାରଣତଃ ଗ୍ରାମଞ୍ଚଳରେ ସକାଳ ବେଳା ଓ ଉପର ବେଳା କିଛି ଠେଲା ଜଳଖିଆ ବ୍ୟବସାୟୀ ବେପାରକରି ନିଜର ଗୁଜୁରାଣ ମେଣ୍ଟାଉଥିଲେ। କିନ୍ତୁ ଦୀର୍ଘ ଦିନ ଧରି ଲକଡାଉନ ଜାରି ରହିବା ଓ ଦୋକାନ ଖଲିବା ଉପରେ ଅଙ୍କୁଶ ଲାଗିଥିବାରୁ ପରିବାର ଚଳାଇବା ସେମାନଙ୍କ ପାଇଁ କଷ୍ଟକର ହୋଇପଡିଲାଣି।
ପ୍ରଶାସନ ପକ୍ଷରୁ ଖୋଲାରେ ଜଳଖିଆ ପ୍ରସ୍ତୁତ କରି ବିକ୍ରି ନକରିବାକୁ ପରାମର୍ଶ ଦିଆଯାଉଥିବା ବେଳେ ଦୋକାନୀମାନଙ୍କୁ ମାସ୍କ ଗ୍ଳୋବ୍ସ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା ଆବଶ୍ୟକ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି। ଏପରି ସ୍ଥିତିରେ ଜଳଖିଆ ଓ ଠେଲା ଦୋକାନୀଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଅନ୍ୟପଟେ ବ୍ୟବସାୟୀମାନେ ବହୁଦିନ ଧରି ଘରେ ବସି ରହିଥିବାରୁ ନିଜର ସଞ୍ଚିତ ଅର୍ଥକୁ ଖର୍ଚ୍ଚ କରିସାରିଲେଣି। ବର୍ତ୍ତମାନ ଟଙ୍କାର ସମସ୍ୟା ଦେଖାଦେଇଛି। ଫଳରେ ଠେଲା ବ୍ୟବସାୟୀମାନେ ବିଦେଶକୁ ଯାଇ କୁଲିଗିରି କରିବା ପାଇଁ ପ୍ରସ୍ତୁତ ହେଉଥିବା ଜଣାଯାଇଛି। ତେଣୁ ରାଜ୍ୟ ସରକାର ତୁରନ୍ତ ଏହି ଠେଲା ବ୍ୟବସାୟୀଙ୍କ ପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି।