କରୋନା ସଂକ୍ରମଣ ନେଇ ଆମେରିକାରେ ସଙ୍କଟ ଦେଖାଦେଇଛି। ପୃଥିବୀରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ଲକ୍ଷେ ୯୭ ହଜାର ୩୫୪ ରହିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ୨୮ ଲକ୍ଷ ୩୩ ହଜାର ୬୯୭ ଛୁଇଁଛି। ଅପରପକ୍ଷରେ ୮ ଲକ୍ଷ ୭ ହଜାର ୪୬୯ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏପରିସ୍ଥଳେ ଆମେରିକାରେ ମୃତ୍ୟୁ ସଂଖ୍ୟା ୫୩ ହଜାରରୁ ଉର୍ଦ୍ଧ୍ୱରେ ପହଞ୍ଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୩୬ ହଜାର ୨୯୩ ଛୁଇଁଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୫ ଶହରୁ ଅଧିକ ଲୋକ ମୃତ୍ୟୁବରଣ କରିଥିବା ଖବର ମିଳିଛି।
ଇତିମଧ୍ୟରେ ଏଠାରେ ଲକ୍ଷେ ୧୦ ହଜାର ୪୩୨ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆମେରିକାର ନ୍ୟୁୟର୍କରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ଅଧିକ ରହିଛି। ତେବେ ଆମେରିକାରେ ଗତ କିଛି ସପ୍ତାହ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ଜଣାପଡ଼ିଛି। ପ୍ରାୟ ୧୮ଟି ଆମେରିକୀୟ ରାଜ୍ୟରେ ଗତ ୭ ଦିନ ମଧ୍ୟରେ ମାମଲା ବହୁତ କମିଯାଇଛି। ଏଥିପାଇଁ ଆମେରିକାର କିଛି ଅଂଶରେ ଲକ୍ଡାଉନ୍ କୋହଳ ହୋଇଥିଲା। ଆମେରିକାର ଜର୍ଜିଆରେ କିଛି ଦୋକାନ ମଧ୍ୟ ଖୋଲିଥିଲା। କିଛି ଲୋକ ବିଚ୍ରେ ମଧ୍ୟ ବୁଲୁଥିବାର ନଜର ଆସିଥିଲେ। ଆମେରିକାର ଏଭଳି ସ୍ଥିତି ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।