୧୯୯ ଦେଶର ୭ ଲକ୍ଷ ୨୨ ହଜାର ଲୋକ କରୋନାରେ ଆକ୍ରାନ୍ତ, ୩୩ ହଜାର ୯୮୩ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ,ଏଜେନ୍ସି: କରୋନାରେ ଏବେ ସୁଦ୍ଧା ବିଶ୍ୱର ୧୯୯ଟି ଦେଶର ୭ ଲକ୍ଷ ୨୨ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୩୩ ହଜାର ୯୮୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧ ଲକ୍ଷ ୫୧ ହଜାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅର୍ଥାତ ଏବେ ୫ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ଚିକିତ୍ସା ହେଉଛନ୍ତି। ଆମେରିକାରେ ସର୍ବାଧିକ ୧ଲକ୍ଷ ୪୨ ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି। ଇଟାଲୀରେ ସ୍ଥିତି ଏପରି ହୋଇଛି କରୋନା ସଂକ୍ରମଣରେ ପ୍ରାଣ ହରାଇଥିବା ଲୋକମାନଙ୍କ ଶବସକ୍ରାର କାମ ସେନାକୁ ଦିଆଯାଇଛି । କାରଣ ମୃତକଙ୍କ ସଂଖ୍ୟା ବଢି ବଢି ଚାଲିଛି। କରୋନା ଭାଇରସ ପାଇଁ ଅର୍ଥନୀତି ବିପର୍ଯ୍ୟସ୍ତ ହୋଇଯାଇଥିବାରୁ ଜର୍ମାନୀର ଏକ ରାଜ୍ୟର ଅର୍ଥମନ୍ତ୍ରୀ ଥୋମାସ ସେଫର ଅବସାଦରେ ଆତ୍ମହତ୍ୟା କରିଥିବା କୁହାଯାଉଛି। ସେହିପରି ଗତକାଲି ସ୍ପେନର ରାଜକୁମାରୀ ମାରିଆ ଟେରେସାଙ୍କର ୮୬ବର୍ଷରେ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି।

ଦେଶରେ ଧୀରେ ଧୀରେ ବଢ଼ୁଛି କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ହଜାରେ ଟପି ଯାଇଛି ଆକ୍ରାନ୍ତଙ୍କ ସଂଖ୍ୟା। ୧୦୨୪ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ତେବେ ବର୍ତ୍ତମାନ ସୁଦ୍ଧା ୯୬ ଜଣ ସୁସ୍ଥ ହୋଇ ଫେରିଥିବା ଜଣାପଡ଼ିଛି।

ଏହି ପରିପ୍ରେକ୍ଷୀରେ ମହାରାଷ୍ଟ୍ରରେ ସର୍ବାଧିକ ୧୮୬ ଜଣ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ବେଳେ ୬ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି କେରଳରେ ୧୮୨ଜଣ ସଂକ୍ରମିତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଓଡିଶାରେ ଏଯାଏଁ ମୋଟ ୩ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ଅନ୍ୟପକ୍ଷରେ ଗତ ୧୪ ଦିନ ମଧ୍ୟରେ ଓଡିଶା ବାହାରେ ରହୁଥିବା ୨୮୫୬ ଜଣ ଓଡିଶା ଫେରିଛନ୍ତି । କିନ୍ତୁ ସେମାନଙ୍କର କୌଣସି ଖୋଜଖବର ନଥିବା ସୂଚନା ମିଳିଛି । ନା ସେମାନେ ସରକାରଙ୍କୁ ଜଣାଇଛନ୍ତି ନା ୧୦୪କୁ କୌଣସି ସୂଚନା ଦେଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଭୁବନେଶ୍ୱରରୁ ୪୦୦ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୪୫୦, ଗଞ୍ଜାମ ରୁ ୬୫୦ ଏବଂ କଟକରୁ ୬୫୦ଜଣ । ଏମାନଙ୍କ ସମ୍ପର୍କରେ କୌଣସି ଖବର ମିଳିନଥିବା ଜଣାପଡିଛି । ଏସବୁ ବ୍ୟକ୍ତିଙ୍କୁ କୌଣସି ମତେ ଖୋଜି ସଂଗରୋଧ କରିବା ପାଇଁ ସମସ୍ତ ଜିଲ୍ଲାପାଳ ଏବଂ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ।