କରୋନାର କରୁଣ ଦୃଶ୍ୟ : ଚାରିକାନ୍ଧ ଅଭାବରୁ ସାଇକଲରେ ବୁହାହେଲା ବୁଢିମାଁଙ୍କ ଶବ

ବଲାଙ୍ଗିର /ଖପ୍ରାଖୋଲ: ଏନ୍‌ଏନ୍‌ଏସ୍ :କରୋନା ପ୍ରକୋପରେ ଅନେକେ ନିଜ ତଥା ପରିବାର ବର୍ଗଙ୍କୁ ହରାଉଛନ୍ତି । ବିଭିନ୍ନ ସମୟରେ ଏହାର କରୁଣ ଦୃଶ୍ୟ ଦେଖିବାକୁ ମିଳୁଛି । କୋଉଠି ମଣିଷ ପଣିଆର ଉକ୍ତୃଷ୍ଟ ନିଦର୍ଶନ ଦେଖିବାକୁ ମିଳୁଛି , ତ ଆଉ କେଉଁଁଠିକାର ଦୃଶ୍ୟ ମଣିଷ ସମାଜକୁ ଲଜ୍ଜିତ କରୁଛି । ସଂକ୍ରମଣକୁ ଭୟ କରି ଚାରିକାନ୍ଧ ଅଭାବରେ ଜଣେ ବୁଢିମାଁ ର ଶବକୁ ପୁଅ ସାଇକେଲ ରେ ବୋହିବାକୁ ବାଧ୍ୟ ହୋଇଛି । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଆଜି ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଭାଲୁଡୁଙ୍ଗୁରୀ ଗ୍ରାମରେ । ପ୍ରାପ୍ତ ସୂଚନା ଅନୁଯୟୀ ଭାଲୁଡୁଙ୍ଗୁରୀ ଗ୍ରମର ଅଯୋଧ୍ୟା ସାହୁ (୬୦) ଗତ ୧୦ ଦିନ ଧରି ଜ୍ୱରରେ ପୀଡିତ ଥିଲେ । ସୋମବାର ଦିନ ଡାକ୍ତରଖାନାରେ ତାଙ୍କର କରୋନା ପରୀକ୍ଷା କରିବାରୁ ସେ ସକ୍ରିୟ ଥିବା ଜଣା ପଡିଥିଲା । ତାଙ୍କୁ ଔଷଧ ଦେଇ ଘରେ ରହିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ସ୍ୱାସ୍ଥବସ୍ଥା ଅସମ୍ଭାଳ ହେବା ପରେ ଶେଷରେ ଆଜି ସକାଳୁ ଘରେ ତାଙ୍କର ମୃତ୍ୟୁ ଘଟିଥିଲା । ଅଯୋଧ୍ୟା କରୋନା ଅକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ଯୋଗୁଁ ସଂକ୍ରମଣ ଭୟରେ ପରିବାର, ସମ୍ବନ୍ଧି ତଥା ଗ୍ରାମବାସୀ କେହି ପାଖ ମାଡି ନଥିଲେ । ଶେଷରେ ପୁଅ ଦାମୋଦର ଡାକ୍ତରଖାନା ପ୍ରଦତ୍ତ ପିପିଇ କିଟ ପିନ୍ଧି ଏକ ସାଇକେଲ ଯୋଗେ ମାଆର ଶବକୁ ବାନ୍ଧି ମଶାଣୀ ଭୁଇଁକୁ ନେଇଥିଲେ । ବୁଢା ବାପା ମକାରୁ ଅର୍ଧାଙ୍ଗିନିଙ୍କ ଶବ ପଛେ ପଛେ ମଶାଣି ପର୍ଯ୍ୟନ୍ତ ଲମ୍ବି ଥିଲେ । ଏହି ଦୃଶ୍ୟ ଦେଖିବାକୁ ଯେତେ କରୁଣ ଥିଲା ସେତିକି ସମାଜରେ ମଣିିଷ ପଣିଆର ଅବସ୍ଥା ସରକାରୀ ବ୍ୟବସ୍ଥା ର ସ୍ଥିତି ବଖାଣୁ ଥିଲା । ଖବର ପାଇ କିଛି ସାମାଜିକ କର୍ମି ଗାଁ ମାଶାଣିକୁ ପହଞ୍ଚି ଶବ ସତ୍କାର କରିବାରେ ସାହାଯ୍ୟ କରିଥିଲେ ।