ନିତିଦିନ,ବ୍ୟୁରୋ: କରୋନା ଭୂତାଣୁ ସାରା ବିଶ୍ୱ ପାଇଁ ଏକ ଭୟାନକ ସଂକଟ ହୋଇଥିବା ବେଳେ ଗତ ୨ ମାସ ଭିତରେ ଏଥିରେ ଅନେକ ଜୀବନ ଗଲାଣି। ତେବେ ପ୍ରଥମେ ଏହି ଭୂତାଣୁ ଚୀନରେ ଦେଖାଯାଇଥିବା ବେଳେ ବର୍ତ୍ତମାନ ଏହା ସମଗ୍ର ଦେଶକୁ ଗ୍ରାସ କରିସାରିଲାଣି। ଏଥି ମଧ୍ୟରେ ଭାରତରେ ମଧ୍ୟ କରୋନା ତାଣ୍ଡବ ରଚିଛି। ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସେହିପରି ୨୪ ଘଣ୍ଟାରେ ପୁଣି ୮ ହଜାରରୁ ଅଧିକ ମାମଲା ସାମନାକୁ ଆସିଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୨ ଲକ୍ଷ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୬ ହଜାର ନିକଟତର ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୨ ଲକ୍ଷ ୭ ହଜାର ୬୧୫ ରେ ପହଞ୍ଚିଛି। ଏପର୍ୟ୍ୟନ୍ତ ଭାରତରେ ୫ ହଜାର ୮୧୫ ଜଣଙ୍କ ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୮୯୦୯ ଟି ନୂଆ କରୋନା ଆକ୍ରାନ୍ତଙ୍କ ମାମଲା ସାମନାକୁ ଆସିଛି। ଏହା ପୂର୍ବ ଅପେକ୍ଷା ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ। ଏହାସହ ୨୧୭ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି।
ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୦,୩୦୩ ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୧,୪୯୭ ସକ୍ରିୟ ଅଛନ୍ତି।ଏବେ ୧୦୧ ୪୯୭ ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି। ତାମିଲନାଡୁ ଓ ଦିଲ୍ଲୀରେ ସ୍ଥିତି ସଙ୍ଗୀନ। ବିଶ୍ୱର ଆତଙ୍କ ସୃଷ୍ଟି କରିଥିବା ମହାମାରୀ କରୋନା ୨୧୩ ଦେଶକୁ ବ୍ୟାପି ଭୟଙ୍କର ରୂପ ନେଉଛି। କେନ୍ଦ୍ର ସରକାର କରୋନା ପାଇଁ ଅନେକ ସଚେତନତା ପାଇଁ ନିଆଯାଉଥିବା ପଦକ୍ଷେପ ସତ୍ୱେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଆଜି ଲକ୍ ଡାଉନ୍ ୪.୦ ଶେଷ ହୋଇଥିବା ବେଳେ କିଛି ସ୍ଥାନରେ କୋହଳ କରାଯାଇଛି। କଣ୍ଟେନମେଣ୍ଟ ଜୋନରେ ଜୁନ୍ ୩୦ ଯାଏଁ ଲକ୍ ଡାଉନ୍ ବୃଦ୍ଧି କରାଯାଇଛି।