ଦେଶରେ ୨୪ ଘଣ୍ଟାରେ ୬୧, ୫୩୭ କରୋନା ପଜିଟିଭ ଚିହ୍ନଟ: ସଂଖ୍ୟା ୨୧ ଲକ୍ଷ ନିକଟତର

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ଭାରତର ସ୍ଥିତି ଦିନକୁଦିନ ଗମ୍ଭୀର ହେବାରେ ଲାଗିଛି। ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦ଲକ୍ଷ ୮୮ ହଜାରକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ୬୧ ହଜାର ୫୩୭ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୯୩୩ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୪୨ ହଜାର ୫୧୧କୁ ବୃଦ୍ଧି ପାଇଛି। ଦେଶରେ ମୃତ୍ୟୁହାର ୨.୦୩ ପ୍ରତିଶତ ହୋଇଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୧୯ ହଜାର ରହିଥିବାବେଳେ ୧୪ ଲକ୍ଷ ୨୭ହଜାର ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଉ ଲଗାତାର ନବମ ଦିନରେ ୫୦ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ଦେଶରେ ସର୍ବାଧିକ ମାମଲା ମହାରାଷ୍ଟ୍ରରେ ରହିଥିବାବେଳେ ଅଢେଇ ଲକ୍ଷରୁ ଅଧିକ ଲୋକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମହାରାଷ୍ଟ୍ର ପରେ ଦ୍ୱିତୀୟରେ ତାମିଲନାଡ଼ୁ, ତୃତୀୟରେ କର୍ଣ୍ଣାଟକ, ଚତୁର୍ଥରେ ଆନ୍ଧ୍ରପ୍ରଦେଶ ଓ ପଞ୍ଚମରେ ଦିଲ୍ଲୀରେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ଏଥିସହିତ ସକ୍ରିୟ ଆକ୍ରାନ୍ତ ମାମଲାରେ ଭାରତ ତୃତୀୟ ସ୍ଥାନରେ ରହିଛି।