ଦେଶରେ ରେକର୍ଡ ଭାଙ୍ଗୁଛି କରୋନା, ଦିନକରେ ପୁଣି ୧୭ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ, ଗଲାଣି ୪୦୭ ଜୀବନ

ନୂଆଦିଲ୍ଲୀ,ଏଜେନ୍ସି: ଦିନକୁ ଦିନ ଭାରତରେ କରୋନା ମହାମାରୀ ସାଂଘାତିକ ହେଉଛି। ଗତ ଦିନମାନଙ୍କରେ ଦେଶରେ କରୋନା ସଂକ୍ରମଣ ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି। ଏହି ପରିପ୍ରେକ୍ଷୀରେ ଆଜି ପୁଣି ଦେଶରେ ୧୭ହଜାର ପାର ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ୨୪ ଘଣ୍ଟାରେ ଦେଶରେ ୧୭ ହଜାର ୨୯୬ ନୂଆ ମାମଲା ସାମନାକୁ ଆସିଥିବା ବେଳେ ୪୦୭ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହିତ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୪ ଲକ୍ଷ ୯୦ ହଜାର ୪୦୧ ରେ ପହଞ୍ଚିଛି। ଏପର୍ଯ୍ୟନ୍ତ କରୋନାରେ ଭାରତରେ ୧୫ ହଜାର ୩୦୧ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୨ ଲକ୍ଷ ୮୫ ହଜାର ୪୩୭ ଜଣ ସୁସ୍ଥ ହୋଇଛନ୍ତି ଓ ୧ ଲକ୍ଷ ୮୯ ହଜାର ୪୬୩ ସକ୍ରିୟ ଅଛନ୍ତି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ କରୋନାରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି। କେବଳ ମହାରାଷ୍ଟ୍ରରେ ପାଖାପାଖି ୧ ଲକ୍ଷ ୫୦ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପ୍ରାୟ ୭ ହଜାର କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ସେହିପରି ଦିଲ୍ଲୀରେ ମଧ୍ୟ ସ୍ଥିତି ବିଗିଡ଼ିବାରେ ଲାଗିଛି।