କରୋନା ଭୟ: ମୃତ୍ୟୁ ପରେ ମିଳୁନି ଚାରି କାନ୍ଧ

ସଇଁନ୍ତଳା,ବଲାଙ୍ଗିର/ଏନ୍ଏନ୍ଏସ୍: ସଂକ୍ରମଣର ଭୟ ସୃଷ୍ଟି କରିଛି ମହାମାରୀ କରୋନା। କରୋନା ଭୟରେ ନିଜଲୋକ ପର କରି ଦେଉଛନ୍ତି। କରୋନା ଭୟରେ ମୃତଦେହ ପାଖ ମାଡ଼ୁ ନାହାନ୍ତି ପଡ଼ିଶା। ମୃତ୍ୟୁ ପରେ ଶବକୁ ମିଳୁନି ଚାରି କାନ୍ଧ। ଫଳରେ ଶବ ସତ୍କାର ନହୋଇପାରି ଘଣ୍ଟାଘଣ୍ଟା ଧରି ପଡ଼ି ରହୁଛି। ଏଭଳି କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲାରେ। କରୋନା ଭୟରେ ସତ୍କାର ନହୋଇ ପଡି ରହିଲା ଶବ। ଶେଷରେ ଶବ ସତ୍କାର କଲେ ସ୍ୱେଚ୍ଛାସେବୀ। ବଲାଙ୍ଗିର ଜିଲ୍ଲା ଶାନ୍ତିପଡ଼ା ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି।

ସୂଚନା ଯୋଗ୍ୟ, ଶାନ୍ତିପଡ଼ାରେ ରହୁଥିବା ପୂର୍ବତନ ବ୍ୟାଙ୍କ କର୍ମଚାରୀ ନବକିଶୋର ବରିହାଙ୍କ ହୃଦଘାତରେ ମୃତ୍ୟୁ ଘଟିଥିଲା। ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଏହି ଭୟରେ କେହି ବି ଶବ ସତ୍କାର କରିବାକୁ ଆସି ନଥିଲେ। ଶବ ସତ୍କାର ପାଇଁ ନବକିଶୋରଙ୍କ ଦୁଇ ଝିଅ ପଡୋଶୀ, ପରିଜନଙ୍କୁ କହିଥିଲେ ମଧ୍ୟ କେହି ଆସିନଥିଲେ। ଖବର ପାଇ ୪ ଜଣ ସ୍ୱେଚ୍ଛାସେବୀ ପିପିଇ କିଟ୍ ପିନ୍ଧି ନବକିଶୋରଙ୍କ ମୃତଦେହକୁ ସ୍ଥାନୀୟ ବିଭୁତିପଡ଼ା ଶ୍ମଶାନକୁ ସତ୍କାର ପାଇଁ ନେଇଥିଲେ। ସେଠାରେ ସ୍ଥାନୀୟ ଲୋକ ଶବ ସତ୍କାର କରିବାକୁ ମନା କରିବାରୁ ଶେଷରେ ଆରଟିଓ ଛକ ଶ୍ମଶାନରେ ନେଇ ଶବ ସତ୍କାର କରାଯାଇଥିଲା। ମୃତକଙ୍କ ଜ୍ୱାଇଁ ଆସି ଶ୍ୱଶୁରଙ୍କୁ ମୁଖାଗ୍ନି ଦେଇଥିଲେ।