କରୋନା ସତର୍କତା : ଏପ୍ରିଲ ୧୫ ପର୍ଯ୍ୟନ୍ତ କଟକଣା ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍ : କରୋନା ସଂକ୍ରମଣକୁ ନେଇ ସତର୍କତା ମୂଳକ ପଦକ୍ଷେପ ସ୍ୱରୁପ ରାଜ୍ୟ ସରକାର ଏପ୍ରିଲ ୧୫ ପର୍ଯ୍ୟନ୍ତ କଟକଣା ସମୟ ବୃଦ୍ଧି କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ରାଜ୍ୟବାସୀଙ୍କୁ ସହଯୋଗ କରିବା ଲାଗି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଯଦିଓ ରାଜ୍ୟରେ ଭୟର ବାତାବରଣ ନାହିଁ ତେବେ ସତର୍କତା ମୂଳକ ପଦକ୍ଷେପ ସ୍ୱରୁପ ଏହା କରାଯାଇଛି। ଏପର୍ଯ୍ୟନ୍ତ ରାଜ୍ୟରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି । କରୋନା ସଂକ୍ରମଣ ରୋକିବାକୁ ପୂର୍ବରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସପିଂ ମଲ୍‌, ଜିମ, ପାର୍କ ଆଦି ବନ୍ଦ କରାଯିବା ସହ ଜନଗହଳି ସ୍ଥାନରେ ୧୪୪ ଧାରା ଜାରି କରାଯାଇଥିଲା । ତେବେ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ନିଆଯାଇଥିବା ସମସ୍ତ ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ଆସନ୍ତା ଏପ୍ରିଲ ୧୫ ପର୍ୟ୍ୟନ୍ତ ବୃଦ୍ଧି କରିଛନ୍ତି । ଆବଶ୍ୟକ ପଡିଲେ ଏହି ଅବଧିକୁ ଆହୁରି ଅଧିକ ବଢାଯିବ ବୋଲି କୁହାଯାଇଛି।