ଭୁବନେଶ୍ୱର,ଏନ୍ଏନ୍ଏସ୍: ସାରା ବିଶ୍ୱରେ ଲୋକମାନେ କରୋନାକୁ ନେଇ ଭୟଭିତ ଅବସ୍ଥାରେ ରହିଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ମହାମାରୀ ରୂପେ ଘୋଷଣା କରିବାପରେ ଏହା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। କରୋନାକୁ ରୋକିବା ସମସ୍ତଙ୍କ ଚିନ୍ତା ପାଲଟିଥିବା ବେଳେ ମହାମାରୀ କରୋନା ପାଇଁ ସ୍କୁଲ ପିଲାମାନଙ୍କୁ ମଧ୍ୟ ସଚେତନ କରାଉଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ।
ଏ ନେଇ ଗୁରୁବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କ୍ୟାପିଟାଲ ହାଇସ୍କୁଲ ପରିସରରେ ପହଞ୍ଚି ପିଲାମାନଙ୍କୁୁ କରୋନା ପାଇଁ ସଚେତନ କରିବା ସହ ପିଲାଙ୍କୁ ପେପର ସୋପ ଓ ମାସ୍କ ବାଣ୍ଟିଛନ୍ତି। ମନ୍ତ୍ରୀଙ୍କ ସହ କ୍ୟାପିଟାଲ ହାଇସ୍କୁଲ ପରିସରରେ ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଜିଲ୍ଲାପାଳ ସୀତାଂଶୁ ରାଉତ ସୂଚନା ଦେଇ କହିଛନ୍ତି କି ଭୁବନେଶ୍ୱରର ସମସ୍ତ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପେପର ସୋପ୍ ପ୍ରଦାନ କରାଯିବ। ଏନଜିଓ ଆଫୋଡ଼୍ ସହାୟତାରେ ସ୍କୁଲରେ ସୋପ୍ ଷ୍ଟ୍ରିପ୍ ବଣ୍ଟାଯିବ ବୋଲି ସୂଚନା ମିଳିଛି।
କ୍ୟାପିଟାଲ ହାଇସ୍କୁଲ ପରିସରରେ ମନ୍ତ୍ରୀ ସମୀର ଦାସ ପେପର ସୋପ୍ କ୍ୟାମ୍ପେନର ଶୁଭାରମ୍ଭ କରିବା ପରିପ୍ରେକ୍ଷୀରେ କହିଛନ୍ତି ଯେ ନିରନ୍ତର ବ୍ୟବଧାନରେ ଛାତ୍ରଛାତ୍ରୀ ହାତ ସଫା କରିବେ। ଏହାଦ୍ୱାରା କରୋନା ଜନିତ ସଂକ୍ରମଣକୁ ରୋକାଯାଇପାରିବ। ଏଥି ସହ ମାସ୍କ ମଧ୍ୟ ପ୍ରଦାନ କରିଛନ୍ତି। ଥଣ୍ଡା ଜ୍ୱରରେ ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ମାସ୍କ ଦେଇପାରିବେ ବୋଲି ସେ କହିଛନ୍ତି।