ନୂଆଦିଲ୍ଲୀ,ଏଜେନ୍ସି : ହିନ୍ଦୀ ଓ ଦକ୍ଷିଣ ଭାରତୀୟ ଫିଲ୍ମର ଜଣାଶୁଣା ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ବାପା-ମା’ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଘରର ଅନ୍ୟ ସଦସ୍ୟ, କର୍ମଚାରୀ ଏବଂ ତମନ୍ନାଙ୍କର ରିପୋର୍ଟ ନେଗେଟିଭ ଆସିଛି। ଇନଷ୍ଟାଗ୍ରାମ ଏକାଉଣ୍ଟରେ ଏ ବାବଦରେ ସୂଚନା ଦେଇଛନ୍ତି ତମନ୍ନା। ସେ ଲେଖିଛନ୍ତି – ୱିକେଣ୍ଡରେ ମୋର ବାପା, ମା’ଙ୍କ ନିକଟରେ କରୋନାର ସାମାନ୍ୟ ଲକ୍ଷ୍ୟଣ ଦେଖିବାକୁ ମିଳିଥିଲା। ସତର୍କତା ସ୍ୱରୂପ ଘରର ସମସ୍ତେ କୋଭିଡ ଟେଷ୍ଟ କରାଇଥିଲୁ। ହେଲେ ଦୁର୍ଭାଗ୍ୟର ବିଷୟ, ମୋର ବାପା ଓ ମା’ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ବିଧିବଦ୍ଧ ଭାବରେ ଘୋଷଣା କରାଯାଇଛି ଓ ଆମେ କୋଭିଡ ନିୟମ ପାଳନ କରୁଛୁ। ତେବେ ଘରର ଅନ୍ୟ ସଦସ୍ୟ, କର୍ମଚାରୀ ଓ ମୋର ରିପୋର୍ଟ ନେଗେଟିଭ ଆସିଛି। ଭଗବାନଙ୍କ ଆଶୀର୍ବାଦରୁ ମୋର ବାପା, ମା’ ଠିକ ଅଛନ୍ତି ଓ କରୋନା ସହ ଲଢ଼ୁଛନ୍ତି। ସେମାନଙ୍କ ଆଶୁ ଆରୋଗ୍ୟ କାମନା କରି ଆପଣମାନେ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ।