କରୋନା ସଂକ୍ରମଣ ରୋକିବା ପାଇଁ ହେବ ସର୍ବଭାରତୀୟ ଯୋଜନା

ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ମିଶି ଏକ ସର୍ବଭାରତୀୟ ଯୋଜନା ପ୍ରସ୍ତୁତ କରିବା ପାଇଁ ସ୍ଥିର କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଆନ୍ତଃ ମନ୍ତ୍ରଣାଳୟ ସ୍ତରୀୟ ବୈଠକର ନିଷ୍ପତ୍ତି ଅନୁଯାୟୀ ସଂକ୍ରମଣର ପରୀକ୍ଷା, ପୃଥକୀକରଣ ଓ ଜିଲ୍ଲାସ୍ତର ପର୍ଯ୍ୟନ୍ତ ଦେଶର ବିଭିନ୍ନ ଭାଗରେ ପର୍ଯ୍ୟବେକ୍ଷଣ ସୁବିଧା ଉପଲବ୍ଧ କରାଯିବ। ସ୍ୱରାଷ୍ଟ୍ର ବ୍ୟାପାର, ପ୍ରତିରକ୍ଷା, ରେଳବାଇ ଓ ଶ୍ରମ ମନ୍ତ୍ରଣାଳୟ ନିଜ ନିଜ ହସ୍ପିଟାଲ୍‍ ସୁବିଧା ମାଧ୍ୟମରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିଆଯାଉଥିବା ପଦକ୍ଷେପରେ ସହଯୋଗ କରିବେ ।

ପ୍ରସ୍ତୁତି ସ୍ତରକୁ ଆହୁରି ବ୍ୟାପକ କରିବା ପାଇଁ ସମସ୍ତ ଆନ୍ତର୍ଜାତିକ ବିମାନ ବନ୍ଦର ଓ ସାମୁଦ୍ରିକ ବନ୍ଦରରେ ଥର୍ମାଲ୍‍ ଉପକରଣ ମାଧ୍ୟମରେ ଯାଞ୍ଚ ବ୍ୟବସ୍ଥା ଉପଲବ୍ଧ ହେବ । ଏହାଛଡ଼ା ପର୍ଯ୍ୟଟକମାନେ କେଉଁ କେଉଁ ଦେଶ ଗସ୍ତ କରିଛନ୍ତି ଏବଂ କେଉଁ ଦେଶର ଯାତ୍ରା ସାରି ଫେରୁଛନ୍ତି ସେ ସମ୍ପର୍କରେ ସୂଚନା ଦେବା ବାଧ୍ୟତାମୂଳକ ହେବ । ସୀମାବର୍ତ୍ତୀ ଅଞ୍ଚଳରେ ଥିବା ସମନ୍ୱିତ ତନଖୀ ଫାଟକ ସବୁରେ ଯାଞ୍ଚ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ସମେତ ରାଜ୍ୟଗୁଡ଼ିକ ସହ ମିଶି କାର୍ଯ୍ୟ କରିବାକୁ ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି।