କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କାୟା ବିସ୍ତାର କରି ଚାଲିଥିବା ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବୁଧବାର ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି ନବୀନ ପଟ୍ଟନାୟକଙ୍କ କରୋନା ମୁକାବିଲା କରିବା ପାଇଁ ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ବିଦେଶ ଫେରନ୍ତା ମାନଙ୍କୁ ପଞ୍ଜିକୃତ କରିବା ପାଇଁ କରାଯାଇଥିବା​‌ ବ୍ୟବସ୍ଥା ଦ୍ୱାରା କରୋନା ସଂକ୍ରମଣକୁ ରୋକାଯାଇ ପାରିବ। ରାଜ୍ୟ ସରକରଙ୍କ ଦ୍ୱାରା ବିଦେଶ ଫେରନ୍ତାଙ୍କ ପଞ୍ଜିକରଣ ପାଇଁ ଜାରି କରାଯାଇଥିବା ୱେବସାଇଟରେ ୨୧୧୩ରୁ ଅଧିକ ଲୋକ ନିଜ ନାମ ପଞ୍ଜିକୃତ କରିଛନ୍ତି ।

ବିଦେଶ ଫେରନ୍ତା ଲୋକମାନଙ୍କୁ ନାମ ପଞ୍ଜିକରଣ କରିବା​‌ ପାଇଁ ଉତ୍ସାହିତ କରିବା ଏବଂ କରୋନକୁ ରୋକିବା ଦିଗରେ ସଚେତନତା କରିବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ବିଦେଶ ଫେରନ୍ତା ଭଉଣୀ ଗୀତା ମେହେଟ୍ଟାଙ୍କ ନାମ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ୱେବସାଇଟରେ ପଞ୍ଜିକୃତ କରିଥିଲେ। ପଞ୍ଜିକୃତ କରିବା ପରେ ଲୋକମାନଙ୍କୁ ସଚେତନ ହେବା ଏବଂ ସେଚ୍ଛାକୃତ ଭାବେ ପଞ୍ଜିକରଣ କରିବା ପାଇଁ ନବୀନ ଟ୍ୱିଟ୍ କରିଥିଲେ । ଯାହାକୁ ପ୍ରଶଂସା କରିଛନ୍ତି ମୋଦୀ। ମୋଦୀ ଟ୍ୱିଟରେ ଉଲ୍ଲେଖ କରିଛନ୍ତି କି ନବୀନଙ୍କ ପଦକ୍ଷେପକୁ ଅନ୍ୟମାନେ ଅନୁସରଣ କରିବା ଦରକାର ।