ମୁମ୍ବାଇ, ଏଜେନ୍ସି : ବରୁଣ ଧୱନଙ୍କ ଅପକମିଂ ଫିଲ୍ମ ‘କୁଲି ନଂ ୧’ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମରେ ମୁକ୍ତିଲାଭ କରିବ। ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଏ ବାବଦରେ ବିଧିବଦ୍ଧ ଘୋଷଣା କରାଯିବ ବୋଲି କହିଛନ୍ତି ଆମାଜନ ପ୍ରାଇମ ଭିଡିଓର ଫିଲ୍ମ ବିଭାଗ ସହ ସମ୍ପୃକ୍ତ ଜଣେ ବ୍ୟକ୍ତି। ଆମାଜନ ବର୍ତ୍ତମାନ କିଛି ଦକ୍ଷିଣ ଭାରତୀୟ ଫିଲ୍ମ ରିଲିଜ ପାଇଁ ବ୍ୟସ୍ତ ଥିବାରୁ ‘କୁଲି ନଂ ୧’ ସମ୍ବନ୍ଧରେ ଘୋଷଣା କରାଯାଇନାହିଁ। ନିର୍ମାତା ବାସୁ ଭଗନାନୀଙ୍କ କହିବାନୁସାରେ, ‘କୁଲି ନଂ ୧’କୁ ପ୍ରେକ୍ଷାଳୟରେ ରିଲିଜ କରାଇବା ଲକ୍ଷ୍ୟ ହିଁ ଥିଲା। ମାତ୍ର ହଲମାଲିକଙ୍କ ସହ ବିଜନେସ ଡିଲ୍ ଠିକ ଭାବରେ ହୋଇପାରିଲା ନାହିଁ। ତେଣୁ ଏହାକୁ ଓଟିଟି ପ୍ଲାଟଫର୍ମରେ ହିଁ ରିଲିଜ କରାଯିବ। ମିଳିଥିବା ଖବର ଅନୁସାରେ, ‘କୁଲି ନଂ ୧’ କୁ ୬୫ କୋଟିରେ କିଣିଛି ଆମାଜନ।