ଛଟେଇ ବିରୋଧରେ ଜିଲ୍ଲପାଳଙ୍କ ଦ୍ୱାରସ୍ଥ ହେଲେ ଠିକା ଶ୍ରମିକ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଲଜକୁରା ଖୋଲାମୁହଁ କୋଇଲା ଖଣି ଅଧୀନରେ କାମ କରୁଥିବା ଭିଏଫପିଏଲ ଏବଂ ଏଏସଆଇପିଏଲ କମ୍ପାନୀ କୌଣସି ସୂଚନା ନଦେଇ ପ୍ରାୟ ୨ଶହ ଠିକା ଶ୍ରମିକଙ୍କୁ ଚାକିରୀରୁ ବାହର କରିଦେଇଛି। ଏହି ଅଭିଯୋଗ ନେଇ ଆଜି ଶ୍ରମିକମାନେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନଙ୍କ କହିବାନୁସାରେ, ଏମସିଏଲ ଅଧୀନରେ କାର୍ଯ୍ୟ କରୁଥିବା ଭିଏଫପିଏଲ ଏବଂ ଏଏସଆଇପିଏଲ କମ୍ପାନୀ ଅଧୀନରେ ସେମାନେ ଦୀର୍ଘ ଦିନରୁ କାର୍ଯ୍ୟ କରୁଛନ୍ତି। ହେଲେ ଗତ ୧ ତାରିଖରୁ କମ୍ପାନୀ ହଠାତ ଏହି ଶ୍ରମିକଙ୍କୁ ଛଟେଇ କରିଦେଇଛି। ଖଣିରେ କାର୍ଯ୍ୟରତ ଥିବା ଏହି ଶ୍ରମିକଙ୍କୁ ପୁନଃନିଯୁକ୍ତି ପ୍ରଦାନ କରାନଗଲେ ସେମାନେ ରୋଜଗାର ପନ୍ଥା ହରାଇ ବହୁ ଅସୁବିଧାର ସମ୍ମୁଖୀନ ହେବେ। ଛଟେଇ ହୋଇଥିବା ଏହି ଶ୍ରମିକଙ୍କ ମଧ୍ୟରେ ଅନେକ କୋଇଲା ଖଣି ଯୋଗୁ ତାଙ୍କ ଘର ଦ୍ୱାର ଜମିବାଡ଼ି ହରାଇଥିବାବେଳେ ଅନେକ ଖଣିର ଧୂଳିିଧୂଆଁ ଖାଇ ଜୀବନଯାପନ କରୁଛନ୍ତି। ତେଣୁ କୋଇଲା ଉତ୍ତୋଳନ ପାଇଁ କ୍ଷତିଗ୍ରସ୍ତ ତଥା ପ୍ରଭାବିତ ହୋଇଥିବା ଏହି ସ୍ଥାନୀୟ ଲୋକଙ୍କୁ ହଠାତ ଚାକିରୀରୁ ବାହାର କରିଦେବା ଅନ୍ୟାୟ। ଫଳରେ ଛଟେଇ ହୋଇଥିବା ଏହି ଶ୍ରମିକଙ୍କୁ ପୁନଃନିଯୁକ୍ତି ପ୍ରଦାନ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ଯଦି କମ୍ପାନୀ ଏହି ମନମୁଖୀ କାର୍ଯ୍ୟକୁ ରୋକି ଶ୍ରମିକଙ୍କୁ ପୁନଃନିଯୁକ୍ତି ପ୍ରଦାନ କରିବା ଦିଗରେ ପଦକ୍ଷେପ ଗ୍ରହଣ ନକରେ ତେବେ ସୋମାନେ ଆଗାମୀ ୨୪ ତାରିଖରେ ଲଜକୁରା ଖୋଲାମୁହଁ କୋଇଲା ଖଣି ସମ୍ମୁଖରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।