ପାଣି ପାଇପ ବିଛାଇବା ପାଇଁ ରାସ୍ତା ଖୋଳି ଛାଡ଼ି ଦେଉଛନ୍ତି ଠିକାଦାର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଲୋକଙ୍କ ସୁବିଧା ପାଇଁ ଘରକୁ ଘର ପାଣି ଯୋଗାଇବା ଲାଗି ସରକାର ଯୋଜନା କରିଥିବାବେଳେ ଠିକାଦାରଙ୍କ ଅବହେଳା ଯୋଗୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଠିକାଦାରମାନେ ରାସ୍ତା ଖୋଳି ଛାଡ଼ି ଦେଉଥିବାରୁ ରାସ୍ତା ଖରାପ ହେବାସହ ଲୋକଙ୍କ ଯାତାୟାତରେ ମଧ୍ୟ ବହୁ ଅସୁବିଧା ଦେଖାଦେଉଛି। ଝାରସୁଗୁଡ଼ା ସହର ମଙ୍ଗଳ ବଜାର ଅଞ୍ଚଳରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ପାଣି ପାଇପ ବିଛାଇବା ପାଇଁ ଠିକାଦାର ଦୀର୍ଘ ୧୫ଦିନ ହେଲାଣି ରସ୍ତା ଖୋଳି ଛାଡ଼ି ଦେଇଛନ୍ତି। ଲୋକେ ରାସ୍ତା ମରାମତି କରିବା ପାଇଁ ବାରମ୍ବାର କହିଲେ ମଧ୍ୟ ଠିକାଦାର କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ଫଳରେ ରାସ୍ତାରେ ତିଆରି ହୋଇଥିବା ଖାଲରେ ଅପରିଷ୍କାର ପାଣି ଓ ଅଳିଆ ଜମା ହୋଇ ପରିବେଶ ପ୍ରଦୂଷଣ ହେଉଥିବାବେଳେ ଲୋକେ ଦୁର୍ଘଟଣାର ସମ୍ମୁଖୀନ ମଧ୍ୟ ହେଉଛନ୍ତି। ଏହାସହ ଝାରସୁଗୁଡ଼ା ପୌରପରିଷଦର ୱାର୍ଡ ନମ୍ବର ୧୮,୧୯,୨୦, ୨୧ ଏବଂ ୨୨ରେ ପିଏଚଡି ବିଭାଗ ପକ୍ଷରୁ ପ୍ରତିଦିନିଆ ଜଳ ଯୋଗାଣରେ ମଧ୍ୟ ସମସ୍ୟା ଦେଖାଦେଇଛି। ଫଳରେ ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ପାଣି ପାଇପ ପୋତିବା ପାଇଁ ଖୋଳାଯାଇଥିବା ଗାତକୁ ଶୀଘ୍ର ମରାମତି କରାଯାଉ ବୋଲି ଝାରସୁଗୁଡ଼ା ପୌରପରିଷଦର ପୂର୍ବତନ ନଗରପାଳ ତାପସ ରାୟ ଚୌଧୁରୀ ଦାବି କରିଛନ୍ତି।