ସେବାଶ୍ରମକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

କୋଲନରା,ଏନ୍ଏନ୍ଏସ୍ : ପ୍ରବାସୀ ଫେରନ୍ତା ଯୁବତୀ ଲିଙ୍କରେ ଅନ୍ୟଜଣେ ଯୁବତୀଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଛି। ଏନେଇ ରାୟଗଡ଼ା ଜିଲ୍ଲାପାଳ ସେବାଶ୍ରମକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣ କରିବା ସହ ସେହି କଣ୍ଟେନମେଣ୍ଟ ଜୋନକୁ କେମିକାଲ ସ୍ପ୍ରେ କରି ସାନିଟାଇଜ୍ କରାଯାଇଛି। ଏଠାରେ ଚାନ୍ଦିଲି ପୁଲିସ୍ ପକ୍ଷରୁ ଦିନରାତି ଜଗିରହିବା ବ୍ୟବସ୍ଥା କରାଯାଇଛି।

କଣ୍ଟେନମେଣ୍ଟ ଜୋନ ଘୋଷଣା ପରେ ସକାଳେ ଖୋଲାଯାଇଥିବା ଦୋକନା-ବଜାର ବନ୍ଦ ହୋଇଯାଇଥିବାବେଳେ ପୁଲିସ ପକ୍ଷରୁ ଗହଳି ହେବା ଆଶଙ୍କାରେ ଦୋକାନ ବଜାରଗୁଡ଼ିକୁ ବନ୍ଦ କରାଯାଇଛି। ସେବାଶ୍ରମକୁ ଆଜିଠାରୁ ଆସନ୍ତା ୧୬ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଉକ୍ତ ଯୁବତୀଙ୍କ ସ୍ୱାବ୍ ଗତ ୩.୬.୨୦ରେ ପରୀକ୍ଷା ପାଇଁ ପଠାଯାଇଥିଲା। ଏହା ଗତକାଲି ରାତିରେ ରିପୋର୍ଟ ଆସି ପହଞ୍ôଚଥିଲା।

ତେବେ ସେହି ଯୁବତୀଙ୍କ ସହ ରହିଥିବା ଅନ୍ୟ ୬ ଜଣଙ୍କର ସ୍ୱାବ୍ ମଧ୍ୟ ଆଜି ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ଆଜି ଗୋଟିଏ ଦିନରେ ରାୟଗଡ଼ା ଜିଲ୍ଲାରେ ୪ଟି ପଜିଟିଭ୍ ମାମଲା ଜଣାପଡ଼ିଲା ପରେ ଆଗରୁ ୩ଟି ମିଶି ମୋଟ୍ ୭ଟି ପଜିଟିଭ୍ ମାମଲା ରହିଛି। ଏହି ଅଞ୍ଚଳକୁ ବିଡିଓ ତାପସ ଭୋଇ, ନୋଡାଲ୍ ଅଫିସର ଏସକେ ପଟ୍ଟନାୟକ, ପଦ୍ମଚରଣ ପାଢ଼ୀ ଓ ଚାନ୍ଦିଲି ପୁଲିସ୍ ଏସଆଇ ଗିରିଶ ମହାରଣା, ରାୟଗଡ଼ା ମେଡିକାଲ ଟିମ୍, କୋଲନରା ମେଡିକାଲ ଅଫିସର ଡ. ଜି.ଶୈଲଜା, ତହସିଲଦାର ମାନସୀ ନାୟକ ପ୍ରମୁଖ ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ।