ଝାରସୁଗୁଡ଼ାର ୭୫ଟି ସ୍ଥାନରେ ଲାଗିଛି କଣ୍ଟେନମେଣ୍ଟ କଟକଣା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୪୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ଝାରସୁଗୁଡ଼ା ପୌରପରିଷଦ ଅଞ୍ଚଳରୁ ୧୧୫ ଜଣ, ବେଲପାହାଡ ପୌରପରିଷଦ ଅଞ୍ଚଳରୁ ୧୨ ଜଣ, ବ୍ରଜରାଜନଗର ପୌରପରିଷଦରୁ ୫୧ ଜଣ, ଝାରସୁଗୁଡା ବ୍ଲକରୁ ୨୪ ଜଣ, ଲଖନପୁର ବ୍ଲକରୁ ୪୭ ଜଣ, ଲଇକେରା ବ୍ଲକରୁ ୭୦ ଜଣ, କୋଲାବିରା ବ୍ଲକରୁ ୪୫ ଜଣ, କିର୍ମିରା ବ୍ଲକରୁ ୨୭ ଜଣ ରହିଥିବାବେଳେ ବାହାର ଜିଲ୍ଲାର ହସ୍ପିଟାଲରେ ୨୦ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

କରୋନାର ଦ୍ୱିତୀୟ ଲହରୀରେ ଜିଲ୍ଲାରେ ବଢି ଚାଲିଥିବା ସଂକ୍ରମଣକୁ ଆୟତ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ଜିଲ୍ଲାର ୯୩ଟି ସ୍ଥାନରେ ମାଇକ୍ରୋ କଣ୍ଟେନମେଣ୍ଟ କଟକଣା ଲଗାଯାଇଛି। ସେଥିମଧ୍ୟରୁ ୧୮ଟିରୁ କଟକଣା ପ୍ରତ୍ୟାହୃତ ହୋଇ ସାରିଥିବା ବେଳେ ୭୫ଟି ସ୍ଥାନରେ କଣ୍ଟେନମେଣ୍ଟ କଟକଣା ଜାରି ରହିଛି। ସେହିପରି ରାତ୍ରିକାଳୀନ କର୍ଫ୍ୟୁ ଓ ସପ୍ତାହନ୍ତ ସଟଡାଉନ ପାଇଁ ଛତିଶଗଡ ସୀମାନ୍ତରେ ୧୮ଟି ପୁଲିସ ଦଳ ମୁତୟନ ରହିଛନ୍ତି।