କଣ୍ଟେନମେଣ୍ଟ ଜୋନରେ ଯାତାୟାତ କଟକଣା, ରାଜ୍ୟ ସରକାର ଜାରି କଲେ ନୂଆ ନିର୍ଦ୍ଦେଶାବଳୀ

ଭୁବନେଶ୍ୱର,ଏଜେନ୍ସି: କଣ୍ଟେନମେଣ୍ଟ ଜୋନ୍ ପ୍ରସଙ୍ଗରେ ରାଜ୍ୟ ସରକାର ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସଂକ୍ରମଣ ରୋକିବାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବ। କଣ୍ଟେନମେଣ୍ଟ ଜୋନକୁ ବ୍ୟାରିକେଡ୍ କରାଯିବା ସହ ଅବରୋଧ ଅଞ୍ଚଳରେ ଆଗମନ ଓ ପ୍ରସ୍ଥାନ ଉପରେ କଟକଣା ଲାଗିବ।ତେବେ ବୟସ୍କ, ମହିଳା, ପ୍ରସୂତି, ଦିବ୍ୟାଙ୍ଗଙ୍କ ପ୍ରତି ଅଧିକ ଗୁରୁତ୍ୱ ଦିଆଯିବ ବୋଲି ଏଥିରେ କୁହାଯାଇଛି। ସେହିପରି କଣ୍ଟେନମେଣ୍ଟ ଜୋନର ଘରକୁ ଘର ବୁଲି ଅଙ୍ଗନୱାଡି କର୍ମୀ, ଏଏନ୍ଏମ୍, ସ୍ୱାସ୍ଥ୍ୟକର୍ମୀ ଓ ଶିକ୍ଷକ ଲୋକଙ୍କର ସ୍ୱାସ୍ଥ୍ୟବସ୍ଥା ବୁଝିବେ। ଫ୍ଲୁ ଭଳି ଲକ୍ଷଣ ପ୍ରକାଶ ପାଇଲେ ନମୂନା ସଂଗ୍ରହ ସହ ପରୀକ୍ଷା କରାଯିବ ଏବଂ ଏହାର ତଦାରଖ କରିବେ ବୋଲି ନିର୍ଦେଶ ଦିଆଯାଇଛି।

ଅବରୋଧ ଜୋନକୁ ଅତ୍ୟାବଶ୍ୟକ ଜିନିଷ, ଔଷଧ ଯୋଗାଇ ଦିଆଯିବ। ମ୍ୟୁନିସିପାଲ୍ କମିସନର ଓ ଜିଲ୍ଲାପାଳଙ୍କୁ ଏହି ସମସ୍ତ ସୁବିଧା ଉପଲବ୍ଧ କରାଇବାକୁ ନର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା ଅବରୋଧ ଅଞ୍ଚଳର ପରିଚିତ ବ୍ୟକ୍ତିଙ୍କୁ ନେଇ ହ୍ୱାଟ୍ସଆପ ଗ୍ରୁପ୍ ହେବ। ହ୍ୱାଟ୍ସଆପ ଗ୍ରୁପରେ ବିଭିନ୍ନ ସୂଚନା ପ୍ରଦାନ କରାଯିବା ସହ କେବୁଲ୍ ଟିଭି, ସାଟେଲାଇଟ୍ ଟିଭି ଓ ପୋଷ୍ଟର ଜରିଆରେ ବିଭିନ୍ନ ସୂଚନା ପ୍ରଦାନ କରାଯିବ ବୋଲି କୁହାଯାଇଛି। ଏହାଛଡ଼ା ଲାଉଡ ସ୍ପିକର ଜରିଆରେ ଅବରୋଧ ଅଞ୍ଚଳରେ ସୂଚନା ପ୍ରଦାନ କରାଯିବାକୁ ନିର୍ଦେଶ ଦିଆଯାଇଛି।

ଏଥିନେଇ ରାଜ୍ୟର ସମସ୍ତ ଅତିରିକ୍ତ ସଚିବ, ପୁଲିସ ମହାନିର୍ଦେଶକ, ମ୍ୟୁନିସିପାଲ୍ କମିସନର ଓ ଜିଲ୍ଲାପାଳମାନଙ୍କୁ ଓଡ଼ଶାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଚିଠି ଲେଖି ଜଣାଇଛନ୍ତି ।