ନ୍ୟାୟ ବ୍ୟବସ୍ଥା ପ୍ରତି ସରକାରଙ୍କ ଖାତିର୍ ନାହିଁ: କଂଗ୍ରେସ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଔଷଧ ନିଗମରେ ଦୁର୍ନୀତି ଅଭିଯୋଗ କରି କଂଗ୍ରେସ ପକ୍ଷରୁ ଲୋକାୟୁକ୍ତଙ୍କ ପାଖରେ ପିଟିସନ ଦାଖଲ କରିଥିବା ବେଳେ ଆଜି ତାହାର ଶୁଣାଣି ହୋଇଛି। ଶୁଣାଣି ବେଳେ ରାଜ୍ୟ ସରକାରଙ୍କ କୌଣସି ଅଧିକାରୀ ଉପସ୍ଥିତ ନରହିବା କାରଣରୁ ଲୋକାୟୁକ୍ତ ଶୁଣାଣିକୁ ଆସନ୍ତା ସେପ୍ଟେମ୍ବର ୧୪କୁ ଘୁଞ୍ଚାଇ ଦେଇଛନ୍ତି। ତେବେ ସରକାରଙ୍କ ଏପରି ମନୋଭାବକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି କଂଗ୍ରେସ। ଦଳର ବରିଷ୍ଠ ନେତା ସୁଦର୍ଶନ ଦାସ ନ୍ୟାୟ ବ୍ୟବସ୍ଥା ପ୍ରତି ରାଜ୍ୟ ସରକାରଙ୍କର ଖାତିର ନଥିବା ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ ଯେ କରୋନା ମହାମାରୀ ସମୟରେ ଓଡ଼ିଶା ଔଷଧ ନିଗମରେ ବ୍ୟାପକ ଦୁର୍ନୀତି ଅଭିଯୋଗ କରି କଂଗ୍ରେସର ବରିଷ୍ଠ ନେତା ସୁଦର୍ଶନ ଦାସ ଗତ ଜୁନ ୭ ତାରିଖରେ ଲୋକାଯୁକ୍ତଙ୍କ ନିକଟରେ ପିଟିସନ ଦାଖଲ କରିଥିଲେ। କୋଭିଡ୍ ଜିନିଷପତ୍ର କିଣାକିଣି କମିଟିର ଅଧ୍ୟକ୍ଷ ତଥା ଶିଳ୍ପ ବିଭାଗ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଓଡ଼ିଶା ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକଙ୍କୁ ଏହି ପିଟିସନ ପକ୍ଷ କରାଯାଇ ସେମାନଙ୍କୁ ଆଜି ସୁଦ୍ଧା ଉତ୍ତର ରଖିବାକୁ ଲୋକାୟୁକ୍ତ ନୋଟିସ୍ କରିଥିଲେ। ମାତ୍ର ଉପରୋକ୍ତ ଅଫିସର ମାନେ ଆଜି ସୁଦ୍ଧା କୌଣସି ଉତ୍ତର ଦେଲେ ନାହିଁ କିମ୍ବା ଆଜିର ଶୁଣାଣି ସମୟରେ ସେମାନେ ନିଜର ପକ୍ଷ ରଖିବାପାଇଁ ସମୀଚିନ ମଣିଲେ ନାହଁ। ସରକାରଙ୍କ ଏଭଳି ମନୋଭାବ ଦେଶର ନ୍ୟାୟିକ ବ୍ୟବସ୍ଥା ପ୍ରତି ବେଖାତିର ମନୋଭାବର ପରିଚୟ ବୋଲି ସୁଦର୍ଶନ ଅଭିଯୋଗ କରିଛନ୍ତି।