୨୦୨୧ ଜାନୁଆରୀରେ କଂଗ୍ରେସକୁ ମିଳିବ ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ: ନିକଟରେ ସ୍ଥାୟୀ ଅଧ୍ୟକ୍ଷ ଦାବି କରି ୨୩ ବରିଷ୍ଠ ନେତା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖିଥିଲେ। ଆଉ ଏହାକୁ ନେଇ ଦଳରେ ଏକ ବଡ଼ ଧରଣର କନ୍ଦଳ ସୃଷ୍ଟି ହୋଇଥିଲା। ଏହି କନ୍ଦଳ ପରେ ସୋନିଆ ଗାନ୍ଧୀ ନୂଆ କାର୍ଯ୍ୟସମିତି ଗଠନ କରିବା ସହ ସଂଗଠନରେ ନିର୍ବାଚନ କରିବା ପାଇଁ ଦଳର ବରିଷ୍ଠ ନେତା ମଧୁସୂଦନ ମିସ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ସମିତି ଗଠନ କରିଥିଲେ। ନିର୍ବାଚନ ସମିତି ଏବେ ନିର୍ବାଚନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିବା ସହ ଦୁଇ ରାଉଣ୍ଡ ବୈଠକ ମଧ୍ୟ କରି ସାରିଲେଣି।

ବିଶେଷ ସୁତ୍ରରୁ ଜଣାପଡ଼ିଛି କି, ନିର୍ବାଚନ ସମିତି ମାସକ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ସମେତ କାର୍ଯ୍ୟସମିତିର ୧୨ ଜଣ ସଦସ୍ୟଙ୍କୁ ଚୟନ କରିବା ପାଇଁ ପ୍ରସ୍ତୁତ ରହିବ। ଏନେଇ ଅଧ୍ୟକ୍ଷ ସୂଚନା ପ୍ରଦାନ କରିବେ। ଆଉ କଂଗ୍ରେସକୁ ତା’ର ସ୍ଥାୟୀ ଅଧ୍ୟକ୍ଷ ଜାନୁଆରୀ ୨୦୨୧ରେ ମିଳିଯିବ।

ସୂଚନାଯୋଗ୍ୟ, ୨୦୧୭ରେ ସ୍ଥାୟୀ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥିଲା ଯାହାର କାର୍ଯ୍ୟକାଳ ୨୦୨୨ ପର୍ଯ୍ୟନ୍ତ ଥିଲା। କିନ୍ତୁ ଇତିମଧ୍ୟରେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ଯୋଗୁ ସୋନିଆ ଗାନ୍ଧୀଙ୍କୁ ଅତିରିକ୍ତ ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା। ତେବେ ଦେଖିବାକୁ ବାକି ରହିଲା ବାରମ୍ବାର ଅଧ୍ୟକ୍ଷ ପଦ ନେଇ ଅରାଜି ଥିବା ରାହୁଲ ଆଗାମୀ ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ଲଢ଼ିବେ ନାହିଁ।