‘ସାଂପ୍ରଦାୟିକତା ଆଳରେ କିଏ ହିଂସା କରୁଛି, ତାହା ସାରା ଦେଶକୁ ଜଣା’

ଭୁବନେଶ୍ୱର,ଏନ୍ଏନ୍ଏସ୍: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ହେଉଥିବା ହିଂସା ପାଇଁ କଂଗ୍ରେସକୁ ଦାୟୀ କରିଛନ୍ତି। ଶ୍ରୀ ପ୍ରଧାନଙ୍କ ଏହି ମନ୍ତବ୍ୟକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। କଂଗ୍ରେସର ନୀତି ଓ ଆଦର୍ଶର ଦ୍ୱାହି ଦେଇ ବିଜେପି ବିରୋଧରେ ବର୍ଷିଛନ୍ତି। ସେ କହିଛନ୍ତି, କଂଗ୍ରେସ ଗାନ୍ଧୀ ଆଦର୍ଶରେ ଗଠିତ ଦଳ। ଦେଶର ସମ୍ବିଧାନ ଆମ ପାଇଁ ଗୀତା। ସାମ୍ବିଧାନିକ ମୂଲ୍ୟବୋଧ ହାନୀ କରିବାକୁ ଚେଷ୍ଟା କଲେ ବିରୋଧ ହେବା ସ୍ୱାଭାବିକ କଥା। ଆମେ ହିଂସା ସପକ୍ଷରେ କେବେ ମଧ୍ୟ ନାହୁଁ, ମାତ୍ର ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଲଢ଼େଇ କରିବାକୁ କେହି ରୋକିପାରିବେ ନାହିଁ।

ସେହିଭଳି ଧର୍ମେନ୍ଦ୍ର କଂଗ୍ରେସ ଉପରେ ଘଟଣାକୁ ରାଜନୀତିକରଣ କରୁଥିବା ଆରୋପକୁ ମଧ୍ୟ ସେ ତାଚ୍ଛଲ୍ୟ କରିଛନ୍ତି। ସେ କହିଛନ୍ତି, ଭାରତରେ ସବୁ ରାଜନୀତିକ ଦଳ ରାଜନୀତି ହିଁ କରିବେ। ଏହା ନୂଆ କଥା ନୁହେଁ। କଂଗ୍ରେସ ଏକ ରାଜନୀତିକ ଦଳ। ତେଣୁ ରାଜନୀତି ହିଁ କରିବ। ଏହାଛଡ଼ା ସାଂପ୍ରଦାୟିକତା ଆଳରେ ଲୋକଙ୍କୁ ବିଭାଜନ କରିବାର କାର୍ଯ୍ୟ କେଉଁମାନେ କରନ୍ତି, ତାହା ଦେଶକୁ ଅଛପା ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସବୁ ଧର୍ମର ଲୋକଙ୍କ ଉଦ୍ଦେଶ୍ୟରେ ସମର୍ପିତ ହେବା ଏକ ସରକାରର କର୍ତ୍ତବ୍ୟ। ଭାରତୀୟ ସମ୍ବିଧାନରେ ଏହା ସିଧାସଳଖ ଭାବେ ଉଲ୍ଲେଖ ମଧ୍ୟ ଅଛି। ଭାରତୀୟ ଜନତା ପାର୍ଟି ସମ୍ବିଧାନ ବିରୋଧରେ କାର୍ଯ୍ୟକଳାପ କଲେ, କଂଗ୍ରେସ ବିରୋଧ କରିବା ନିହାତି ସ୍ୱାଭାବିକ କଥା। ଦେଶର ବ୍ୟବସ୍ଥାକୁ ସୁରକ୍ଷିତ ଓ ଅକ୍ଷୁଣ୍ଣ ରଖିବା ପାଇଁ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିଷ୍ଠା। ଏହି ଦଳ ଅଳ୍ପ ଦିନର ନୁହେଁ।

ସ୍ୱାଧୀନତା ପୂର୍ବରୁ ଏହି କାମ କରିଆସୁଛୁ ଓ ଆଗାମୀ ସମୟରେ ମଧ୍ୟ ସମ୍ବିଧାନର ସୁରକ୍ଷା ଆମ ଦାୟିତ୍ୱ। ତେବେ ସେ ଏହାମଧ୍ୟ କହିଛନ୍ତି ଯେ ବିଜେପି ରାଜ୍ୟରେ କଂଗ୍ରେସ ବିରୋଧରେ ବୟାନବାଜି କରିବା ସ୍ୱାଭାବିକ କଥା। ରାଜ୍ୟ ସରକାରୀ ଦଳ ସହ ତାଙ୍କର ଅଘୋଷିତ ମେଣ୍ଟ ହୋଇଛି, ତେଣୁ ସମାଲୋଚନା କରିବା ପାଇଁ କେବଳ କଂଗ୍ରେସ ହିଁ ବଳି ପଡ଼ୁଛି।