କଂଗ୍ରେସ ନିଜ ବିଷୟରେ ଚିନ୍ତା କରିବା ଉଚିତ: ରାହୁଲ ଗାନ୍ଧୀଙ୍କ ୟୁପି ଅଫର ମନ୍ତବ୍ୟରେ ମାୟାବତୀଙ୍କ ଉତ୍ତର

ନୂଆଦିଲ୍ଲୀ,ଏଜେନ୍ସି: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ରବିବାର ଦିନ କଂଗ୍ରେସର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ଗତକାଲି କହିଥିଲେ ଯେ ନିର୍ବାଚନ ସମୟରେ ୟୁପିରେ ଦଳର ମିଳିତ ପ୍ରସ୍ତାବକୁ ବିଏସପି ମୁଖ୍ୟ ଉତ୍ତର ଦେଇ ନଥିଲେ। ଏହାର ଉତ୍ତରରେ କଂଗ୍ରେସ ପ୍ରଥମେ ନିଜ ବିଷୟରେ ଚିନ୍ତା କରିବା ଆବଶ୍ୟକ ବୋଲି ଆଜି ମାୟାବତି କହିଛନ୍ତି।

ଶନିବାର ଦିନ ରାହୁଲ ଗାନ୍ଧୀ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ କହିଛନ୍ତି ଯେ ଆମେ ମାୟାବତୀଙ୍କ ନିକଟକୁ ଯାଇ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ପ୍ରଦାନ କରିଥିଲୁ, କିନ୍ତୁ ସେ ପ୍ରସ୍ତାବର ଉତ୍ତର ଦେଇନଥିଲେ। ଗତକାଲି ରାହୁଲ କହିଥିଲେ ଯେ ମାୟାବତି ବିଜେପିର ବି-ଟିମ ଭାବରେ ଉତ୍ତରପ୍ରଦେଶରେ କାର୍ଯ୍ୟ କରୁଛନ୍ତି। ସିବିଆଇ, ଇଡି ଭଳି କେନ୍ଦ୍ରୀୟ ଏଜେନ୍ସି ଗୁଡ଼ିକୁ ଡରି ଆମ ସହିତ ମେଣ୍ଟ ପ୍ରସ୍ତାବକୁ ଗ୍ରହଣ କରି ନଥିଲେ।

ୟୁପି ନିର୍ବାଚନ ଫଳାଫଳର କିଛି ସମୟ ପରେ ମାୟାବତୀ ସ୍ପଷ୍ଟ କରିଛନ୍ତି ଯେ “ବିଏସପି ବିଜେପି ଦଳ ନୁହେଁ”। ଉତ୍ତରପ୍ରଦେଶରେ ଖରାପ ପ୍ରଦର୍ଶନ ପରେ ସେ ପାର୍ଟିର ଭାବମୂର୍ତ୍ତିକୁ ବିକୃତ କରିଥିବାରୁ ଗଣମାଧ୍ୟମକୁ ନିନ୍ଦା କରିଛନ୍ତି।