ରାଜଘାଟରେ କଂଗ୍ରେସର ସତ୍ୟାଗ୍ରହ: ଯୁବବର୍ଗଙ୍କୁ ରାହୁଲଙ୍କ ଆହ୍ୱାନ

ନୂଆଦିଲ୍ଲୀ: ସୋମବାର ମହାତ୍ମା ଗାନ୍ଧୀଙ୍କ ସ୍ମୃତିପୀଠ ରାଜଘାଟରେ ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ପକ୍ଷରୁ ‘ଦେଶର ଏକତା ପାଇଁ ସତ୍ୟାଗ୍ରହ’ ଅନୁଷ୍ଠିତ ହୋଇଯାଇଛି। ବିବାଦୀୟ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରିବା ସହିତ ସମ୍ବିଧାନ ପ୍ରଦତ୍ତ ନାଗରିକଙ୍କ ଅଧିକାର ଅକ୍ଷୁଣ୍ଣ ରଖିବା ପାଇଁ ସତ୍ୟାଗ୍ରହ ଡାକରା ଦିଆଯାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ରାହୁଲ ଗାନ୍ଧୀ, କେସି ବେଣୁଗୋପାଲ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ୍, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ, ବରିଷ୍ଠ କଂଗ୍ରେସ ନେତା ଏକେ ଆଣ୍ଟୋନୀ, ଆନନ୍ଦ ଶର୍ମା, ଅହମଦ ପଟେଲ, ଗୁଲାମ ନବୀ ଆଜାଦ, ମଲ୍ଲିକାର୍ଜୁନ ଖାଡ୍ଗେ, ମୁକୁଲ ୱାସନିକ, ମୀରା କୁମାରଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀମାନେ ରାଜଘାଟରେ ଏକତ୍ରିତ ହୋଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହଙ୍କ ପକ୍ଷପାତ ନୀତି ବିରୋଧରେ ଏକଜୁଟ ହେବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯୁବବର୍ଗଙ୍କୁ ଆହ୍ୱାନ କରିଛନ୍ତି।

ରାଜଘାଟରେ କଂଗ୍ରେସ ତରଫରୁ ଅନୁଷ୍ଠିତ ସତ୍ୟାଗ୍ରହରେ ବହୁ ସଂଖ୍ୟକ ଯୁବକ ଓ ଛାତ୍ରଙ୍କୁ ସାମିଲ କରିବା ଉଦ୍ଦେଶ୍ୟରେ ସୋମବାର ରାହୁଲ ଟ୍ୱିଟ୍ କରିଥିଲେ, ନିଜକୁ ଖାଲି ଭାରତୀୟ କହିଦେଲେ ଚଳିବ ନାହିଁ। କାମରେ ଦେଖାଇବାକୁ ହେବ। ଶାନ୍ତିପ୍ରିୟ ଭାରତରେ ପକ୍ଷପାତର ସ୍ଥାନ ନାହିଁ ବୋଲି ଆମକୁ ପ୍ରମାଣ କରିବାକୁ ହେବ। ଶାସକବର୍ଗଙ୍କ ପକ୍ଷପାତ ନୀତିକୁ ଆପଣାଇ ଦେଶକୁ ଧ୍ୱଂସ ଆଡ଼କୁ ଟାଣିନିଅନା। ଦିନ ୩ଟାରେ ରାଜଘାଟରେ ମୋ ସହ ସାମିଲ ହୁଅ। ମୋଦୀ-ଶାହଙ୍କ ଘୃଣା ଓ ହିଂସାତ୍ମକ ମନୋଭାବକୁ କଡ଼ା ଜବାବ ଦିଅ।

କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଲୋକମାନଙ୍କୁ ‘ସମ୍ବିଧାନ ସୁରକ୍ଷା ପାଇଁ ଏ ଲଢ଼େଇ’ରେ ଯୋଗଦେବାକୁ ଆହ୍ୱାନ କରିଛନ୍ତି। ପ୍ରିୟଙ୍କା ଟ୍ୱିଟରେ ଉଲ୍ଲେଖ କରିଛନ୍ତି, ଆମମାନଙ୍କୁ ବିଭାଜନ ଓ ଶାସନ ନୀତିରୁ ଦେଶକୁ ବଞ୍ଚାଇବାକୁ ହେବ। ବାପୁଙ୍କ ସ୍ମୃତିପୀଠ ରାଜଘାଟରେ ଆମ ସହ ଯୋଗଦେଇ ସମ୍ବିଧାନ ସୁରକ୍ଷାରେ ଭାଗୀଦାର ହୁଅନ୍ତୁ।