୧୦ ଦଫା ଦାବୀ ନେଇ ସରକାରଙ୍କ ବିରୁଦ୍ଧରେ ଗର୍ଜିଲା କଂଗ୍ରେସ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ବିଜେଡି ସରକାରଙ୍କ ବିରୁଦ୍ଧରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସାରା ରାଜ୍ୟରେ ଥିବା ସମସ୍ତ ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦିଆଯାଇଛି । ଏହିକ୍ରମେ ପାଟଣାଗଡ଼ରେ ମଧ୍ୟ କଂଗ୍ରେସ ପକ୍ଷରୁ ବ୍ଲକ ସଭାପତି ପତିତପାବନ ପ୍ରଧାନଙ୍କ ନେତୃତ୍ୱରେ ମୁଖ୍ୟ ଅତିଥି ଏଆଇସିସି ସଂଯୋଜକ ଅନିଲ ମେହେରଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀମାନେ ସ୍ଥାନୀୟ ପଞ୍ଚମୁଖୀ ହନୁମାନ ମନ୍ଦିରରୁ ଏକ ଶୋଭାଯାତ୍ରାରେ ବାହାରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରକାର ନାରାବାଜି ଦେଇଥିଲେ । ୨୩ ବର୍ଷର ଶାସନ କାଳ ମଧ୍ୟରେ ବିଜେଡି ମନ୍ତ୍ରୀମାନେ ନାରୀ ନିର୍ଯ୍ୟାତନା ସହ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥାଇ ମଧ୍ୟ ମୁଖ୍ୟମନ୍ତ୍ରୀ କାହିଁକି ଚୁପ ବୋଲି ପ୍ରଶ୍ନ କରିଛନ୍ତି । ଉକ୍ତ ଦାବୀରେ ପ୍ରତ୍ୟେକ ପଞ୍ଚାୟତକୁ ଦେଇଥିବା ୫୦ ଲକ୍ଷ ଟଙ୍କା ସିଧାସଳଖ ପଞ୍ଚାୟତକୁ ଦିଆଯାଉ, ରାଜ୍ୟର ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରାଯାଉ ଓ ବେକାର ଯୁବକଓ ଯୁବତୀଙ୍କୁ ନିଯୁକ୍ତି ଦିଆଯାଉ ସାମିଲ ରହିଛି । ଦରଦାମ ବୃଦ୍ଧି ରୋକାଯିବା, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ କମ କରିବା ସହ କୃଷିଜାତ ପଦାର୍ଥ ଅଭାବୀ ବନ୍ଦ କରାଯାଉ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦଳୀୟ କର୍ମୀଙ୍କୁ ନଦେଇ ଯୋଗ୍ୟ ବିବେଚିତ ଲୋକଙ୍କୁ ଦିଆଯାଉ ବୋଲି ଦାବୀ କରିଛନ୍ତି । ଏହି ବିକ୍ଷୋଭ ସମୟରେ ବ୍ଲକ ସଭାପତିଙ୍କ ସମେତ ବହୁ କଂଗ୍ରେସ କର୍ମୀ ଅଂଶଗ୍ରହଣ କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପାଟଣାଗଡ଼ ବିଡିଓ ସୁମନ୍ତ କୁମ୍ଭାରଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ ।