କାଳିଆ ଘୋଟାଲାରେ ଧରାପଡିଲେ ସରକାର–କଂଗ୍ରେସ, ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି

ଭୁବନେଶ୍ୱର,ଏନ୍ଏନ୍ଏସ୍: କୃଷକ କଲ୍ୟାଣ ନାଁରେ ନବୀନ ସରକାର ଲୋକଙ୍କୁ ଠକୁଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। ଚାଷୀଙ୍କ ପାଇଁ ହୋଇଥିବା କାଳିଆ ଯୋଜନାରେ ଲକ୍ଷାଧିକ ଅଯୋଗ୍ୟ ବ୍ୟକ୍ତିଙ୍କୁ କୋଟି କୋଟି ଟଙ୍କା ବାଣ୍ଟାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ସତ୍ୟପ୍ରକାଶ ନାୟକ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡ. ଅରୁଣ ସାହୁଙ୍କ ନିକଟରେ କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ ସମ୍ପର୍କରେ ସମସ୍ତ ସଠିକ୍ ତଥ୍ୟ ଥିଲେ ମଧ୍ୟ ଜାଲିଆତିରୁ ବଞ୍ଚିବା ପାଇଁ ସେ ବିଧାନସଭା ଗୃହରେ ମିଥ୍ୟା ତଥ୍ୟ ଦେଇଥିଲେ, ଯାହା ବର୍ତ୍ତମାନ ଧରା ପଡିଥିବା ସେ କହିଛନ୍ତି।

ଏ ସମ୍ପର୍କରେ ସୋମବାର ଦିନ କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ତଥ୍ୟ ପ୍ରମାଣର ଦସ୍ତାବିଜ ଦେଖାଇ ମନ୍ତ୍ରୀ ଅରୁଣ ସାହୁ କିଭଳି ଗୃହକୁ ମିଥ୍ୟା ତଥ୍ୟ ଦେଇଛନ୍ତି ତାହାର ଖୁଲାସା କରିଛନ୍ତି।

ଗତ ୧୩ ତାରିଖ ଦିନ ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ଶ୍ରୀ ସାହୁ ଗୃହକୁ ତଥ୍ୟ ଦେଇଥିଲେ ଯେ କାଳିଆ ଯୋଜନାରେ ପ୍ରଥମ କିସ୍ତି ପାଇଥିବା ମୋଟ୍ ୫୧ଲକ୍ଷ ୫ହଜାର ୨୯୦ ହିତାଧିକାରୀଙ୍କ ମଧ୍ୟରୁ ମୋଟ୍ ୪୫ହଜାର ୯୬୫ ଜଣ ହିତାଧିକାରୀଙ୍କୁ ଅଯୋଗ୍ୟ ଭାବରେ ଚିହ୍ନଟ କରାଯାଇଛି। ସରକାରଙ୍କୁ ବିଶେଷ ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ “କାଳିଆ କେଳଙ୍କାରୀ”ରୁ ବଞ୍ଚାଇବା ପାଇଁ ମନ୍ତ୍ରୀ ଶ୍ରୀ ସାହୁ ଗୃହକୁ ମିଥ୍ୟା ତଥ୍ୟ ଦେଇ ଅବମାନନା କରିବାକୁ ପଛେଇ ନାହାନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି।

କଂଗ୍ରେସ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାର ଅଯୋଗ୍ୟ ହିତାଧିକାରୀଙ୍କ ସରକାରୀ ତଥ୍ୟ ପ୍ରଦାନ କରାଯାଇଛି। ଏଥିରୁ ସ୍ପଷ୍ଟ ଯେ ମନ୍ତ୍ରୀ ଗୃହରେ ଦେଇଥିବା ତଥ୍ୟ ୩୦ଜିଲ୍ଲାର ମୋଟ୍ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୪୫,୯୬୫ ଠାରୁ ବହୁ ଅଧିକ।
କଂଗ୍ରେସ ପକ୍ଷରୁ ଜାରି ୧୦ଟି ଜିଲ୍ଲାର ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୧ ଲକ୍ଷ ୭୨ ହଜାର ୯୦୮। ଯଦି ୧୦ଟି ଜିଲ୍ଲାର ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୧,୭୨,୯୦୮ ଜଣ ତେବେ ୩୦ଟି ଜିଲ୍ଲାର ଅଯୋଗ୍ୟ ହିତାଧିକାରୀଙ୍କର କେତେ ତାହା ଗତ ପର୍ଯ୍ୟାୟରେ କଂଗ୍ରେସ ଖୁଲାସା କରିବ ବୋଲି ଶ୍ରୀ ନାୟକ କହିଛନ୍ତି।