ଦୈନିକ ଏକ କୋଟି ଟିକାକରଣ ଦାବିକଲା କଂଗ୍ରେସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦେଶର ସମସ୍ତ ନାଗରିକଙ୍କୁ ନିଶୁଳ୍କ ଓ ଦୈନିକ ୧ କୋଟି ଟିକାକରଣ ପାଇଁ ରାଜ୍ୟ କଂଗ୍ରେସ ଆଜି ଦାବି କରିଛି। ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ନବ ନିଯୁକ୍ତ ଏଆଇସିସି ସଂପାଦକ ସାଂସଦ ସପ୍ତଗିରୀ ଉଲ୍ଲାକା, ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ମହମ୍ମଦ ମୋକିମ ପ୍ରମୁଖ ନିଶୁଳ୍କ ସାର୍ବଜନୀନ ଟିକାକରଣ ସହ ଦୈନିକ ଭାରତୀୟ ନାଗରିକଙ୍କୁ ଏକକୋଟି ଟିକାକରଣ ଦାବିରେ କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି। ୨୫ ଏପ୍ରିଲରେ ମୁଖ୍ୟମନ୍ତ୍ରୀ ୧୮-୪୪ ବର୍ଷର ଯୁବକମାନଙ୍କ ପାଇଁ ରାଜ୍ୟରେ ଟିକା ପାଇଁ ଅର୍ଡ଼ର ଦିଆସରିଛି ବୋଲି ଯେଉଁ ଟ୍ୱିଟ୍ କରିଥିଲେ ତାହା ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ପାଇଁ ଉଦ୍ଦିଷ୍ଟ ବୋଲି ଶ୍ରୀ ମାଝୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ମିଥ୍ୟାର ସୌଦାଗର ବୋଲି ଜନସାଧାରଣ ଅବଗତ ହୋଇଗଲେଣି । ସେ ମୌନବ୍ରତ ଭଙ୍ଗକରି ନିଜ ଛବିକୁ ବଂଚାନ୍ତୁ । ଯେଉଁ ବିଜେଡ଼ି ସରକାର ଦୀର୍ଘଦିନ ଠାରୁ ରାଜ୍ୟସଭା, ଲୋକସଭା ଏବଂ ସମସ୍ତ କାର୍ଯ୍ୟକ୍ରମରେ ବିଜେପି ସହିତ ହାତରେ ହାତ ମିଳାଇ ଓ କାନ୍ଧରେ କାନ୍ଧ ମିଳାଇ ସହଯୋଗ କରିଆସୁଥିଲେ କ’ଣ ପାଇଁ ବର୍ତମାନ ବିଜେପି ବିରୋଧରେ ସମସ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ କରୋନାକୁ ନେଇ ଲଢ଼େଇ କରିବାକୁ ଆହ୍ୱାନ ଦେଇଛନ୍ତି ତାହା ବୁଝାପଡ଼ୁ ନାହିଁ । ୬ଦିନ ତଳେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିଥିଲେ ସେଠି ମୁଖ୍ୟମନ୍ତ୍ରୀ ଟିକାକରଣକୁ ନେଇ କିଛି କହିନଥିବା ବେଳେ ଏବେ ଚିଠି ଲେଖିବା ଏକ ନାଟକବାଜି ବୋଲି ତାତ୍ସଲ୍ୟ କରି ଶ୍ରୀ ମାଝୀ କହିଥିଲେ ।

ପ୍ରଧାନମନ୍ତ୍ରୀ ୨୦୨୧ ରେ କରୋନାକୁ ହରାଇଛୁ ବୋଲି ଯେଉଁ ଘୋଷଣା କରିଥିଲେ ତାହା ଏକ ପ୍ରତାରଣା ଥିଲା ବୋଲି ନବନିଯୁକ୍ତ ଏଆଇସିସି ସଂପାଦକ ସପ୍ତଗିରୀ ଉଲ୍ଲାକା କହିଥିଲେ। ପରବର୍ତ୍ତୀ ସମୟରେ ୪ ଟି ରାଜ୍ୟ ସହ ଏକ କେନ୍ଦ୍ରଶାସିତ
ରାଜ୍ୟରେ ନିର୍ବାଚନ କରାଇଲେ । ୮ଟି ପର୍ଯ୍ୟାୟରେ ପଶ୍ଚିମବଙ୍ଗ ନିର୍ବାଚନ କରାଇଲେ । ହଜାର ହଜାର ଲୋକଙ୍କୁ ନେଇ ମୋଦି ଓ ସାହା ପଶ୍ଚିମବଙ୍ଗରେ ମିଂଟି କରିବା ଫଳରେ ସମଗ୍ର ଦେଶରେ କରୋନା ଦ୍ରୁତ ଗତିରେ ବ୍ୟାପିଲା । ହେଲେ ମୋଦି ସରକାର ସେଥିପ୍ରତି ଦୃଷ୍ଟି ଦେଲେ ନାହିଁ । ଦୁଃଖରେ କଥା ମୋଦି ସରକାର ଟିକା ପାଇିଁ ହାତ ଟେକି ସାରିଲେଣି। କିଛି ରାଜ୍ୟରେ ନିର୍ବାଚନ ଥିଲା ବୋଲି ସେଠାରେ ମାଗଣାରେ ଭ୍ୟାକ୍ସିନ ଦଆଯିବ ବୋଲି ଘୋଷଣା କରି ନିର୍ବାଚନ ବୈତରଣୀ ପାରହେଲେ । କିନ୍ତୁ ଓଡ଼ିଶାରେ ନିର୍ବାଚନ ନାହିଁ ତେଣୁ ଆମକୁ ଆଉ ଭ୍ୟାକ୍ସିନ ମିଳିବ ନାହିଁ ବୋଲି ଆଶଙ୍କା ରହିଛି । କେନ୍ଦ୍ର ସରକାରଙ୍କ କୋ-ଇନ ପୋଟାଲ ମାଧ୍ୟମରେ ଆଦିବାସୀ ଅଂଚଳରେ ଭ୍ୟାକ୍ସିନ ପାଇବାପାଇଁ ରେଜିଷ୍ଟ୍ରେସନ କରିବା ସମ୍ଭବ ନୁହେଁ । ତେଣୁ ସେହି ଅଂଚଳକୁ କୋଇନ ପୋଟାଲରୁ ବାଦ ଦିଅନ୍ତୁ ବୋଲି ତାଙ୍କ ବକ୍ତବ୍ୟରେ ଶ୍ରୀ ଉଲ୍ଲାକା କହିଥିଲେ । ସେହିପରି ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଟିକାକରଣକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି । ସେ କହିଛନ୍ତି କୋଭିଡ ନିୟନ୍ତ୍ରଣ କରିବାରେ ସରକାର ସଂପୂର୍ଣ୍ଣ ବିଫଳ ।

ତେଣୁ ଲୋକଙ୍କ ଜୀବନକୁ ବଂଚାଇବା ପାଇଁ ଶୀଘ୍ର ଘର ଘର ବୁଲି ଟେଷ୍ଟିଂ କରି ନିଶୁଳ୍କ ଟିକା ଦିଅନ୍ତୁ ନଚେତ ହଜାର ହଜାର ଲୋକ ପୋକମାଛି ପରି ମରିବେ । ସେଥିପାଇଁ ଉଭୟ ସରକାର ଦାୟୀ ରହିବେ । ରାହୁଲ ଗାନ୍ଧୀ ବାରମ୍ବାର ବିଭିନ୍ନ ସମୟରେ କୋଭିଡ ମହାମାରୀକୁ ନେଇ ଯେଉଁ ଟିପ୍ପଣୀ ଦେଇଥିଲେ ତାହା ସତ୍ୟରେ ପରିଣତ ହେଉଛି । କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁଁ କରୋନାର ଦ୍ୱିତୀୟ ଲହର ଦେଖିବାକୁ ମିଳିଲା । ହଜାର ହଜାର ଲୋକଙ୍କ ଜୀବନ ଗଲାଣି । ଖାଲି ଲକଡାଉନ ଓ ସଟଡାଉନ କରି କରୋନାକୁ ରୋକିବା ସ୍ଥାୟୀ ସମାଧାନ ନୁହେଁ । ବର୍ତମାନ ସମସ୍ତଙ୍କୁ ଟିକା ଦେବାକୁ ପଡ଼ିବ ବୋଲି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ କହିଛନ୍ତି । ସେ କହିଛନ୍ତି କରୋନା ମୁକାବିଲାର ସୂପରିଚାଳନା କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମିଥ୍ୟା ଡିଣ୍ଡିମ ପିଟୁଥିବା ବେଳେ ବର୍ତମାନ ଦେଶରେ ସମସ୍ତ ନାଗରୀକଙ୍କ ପାଇଁ ଟୀକା ଯୋଗାଡ଼ କରିପାରୁ ନାହାଁନ୍ତି । ଏହାଠୁ ଆଉ ଲଜ୍ଜ୍ୟାକର କଥା କ’ଣ ଅଛି । ସାରା ଭାରତରେ ୩.୨% ଲୋକଙ୍କୁ ବର୍ତମାନ ସୁଦ୍ଧା ଟିକା ଦିଆଯାଇଛି ଅର୍ଥାତ ପ୍ରାୟ ୨୧ କୋଟି ଲୋକଙ୍କୁ ଟିକା ଦିଆଯାଇଛି । ବାକି ୧୧୯ କୋଟି ଲୋକ ଟିକା ନପାଇ ଡହଳ ବିକଳ ହେଉଛନ୍ତି । ଯଦି ଟିକାକରଣକୁ ତ୍ୱରାନ୍ୱିତ ନକରିବା ତେବେ ଆମେ କରୋନା ଲଢ଼େଇରେ ହାରମାନିବା ଏବଂ କରୋନାକୁ ପ୍ରତିହତ କରିପାରିବା ନାହିଁ ।

ଏଣୁ ସାର୍ବଜନୀନ ନିଶୁଳ୍କ ଟିକକରଣ କରାଯାଉ । ନଚେତ କଂଗ୍ରେସ ଦଳ କୋଭିଡ ନିୟମ ଭିତରେ ଟିକାକରଣକୁ ନେଇ ଜନହିତଙ୍କ ଉଦ୍ଦେଶ୍ୟରେ ସଂଗ୍ରାମ କରିବ ବୋଲି ଶ୍ରୀ ମୋକିମ ପ୍ରକାଶ କରିଥିଲେ । ସାମ୍ବାଦିକ ସମ୍ମିଳନୀ ପରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜଭବନ ସମ୍ମୁଖରେ କୋଭିଡ ନିୟମ ଅନୁସାରେ ପ୍ଲାକାର୍ଡ଼ ଧରି ପ୍ରତିବାଦ କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ସର୍ବଶ୍ରୀ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ରଶ୍ମି ମହାପାତ୍ର, ୟାସିର ନୱାଜ, ବନ୍ଦିତା ପରିଡ଼ା, ପଦ୍ମାକର ଗୁର, ରଜନୀ ମହାନ୍ତି, ସୁଦର୍ଶନ ଦାସ, ମନୋରଞ୍ଜନ ଦାଶ, ଦୀପକ ମହାପାତ୍ର, ବିସ୍ମୟ ମହାପାତ୍ର, ଲିଙ୍ଗରାଜ ସାହୁ, ପ୍ରକାଶ ମିଶ୍ର, ଦେଓ ପ୍ରସାଦ, ଦେବୀ ପ୍ରସାଦ ବାହାଲିଆ, ଶ୍ରୀୟାସ୍ମିତା ପଣ୍ଡା, କୈଳାସ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।