୬ରେ କଂଗ୍ରେସ କମିଟି ପୁନର୍ଗଠନ

ଭୁବନେଶ୍ୱର: ସୋନିଆଙ୍କ ନିର୍ଦ୍ଦେଶ କ୍ରମେ ପ୍ରଦେଶ କଂଗ୍ରେସର ସଭାପତି ଓ କାର୍ଯ୍ୟକାରୀ ସଭାପତିମାନେ ନିଜ ପଦ ବଜାୟ ରଖିଛନ୍ତି। ହାଇକମାଣ୍ଡଙ୍କଠାରୁ ଆସିଥିବା ନିର୍ଦ୍ଦେଶାଦେଶରେ ଏହା ମଧ୍ୟ କୁହାଯାଇଥିଲା ଯେ କେବଳ ପିସିସି ଅଧ୍ୟକ୍ଷ ନିରଞ୍ଜନଙ୍କ ନେତୃତ୍ୱରେ ତିଆରି ହୋଇଥିବା ସବୁ କମିଟିକୁ ଯଥାଶୀଘ୍ର ଅକାମୀ କରାଯାଉ। ଅର୍ଥାତ ରାଜ୍ୟ କଂଗ୍ରେସରେ କେବଳ ସେହି କମିଟି ଏବେ ଅକାମୀ, ଯାହାକୁ ନିରଞ୍ଜନ ଗଠନ କରିଥିଲେ। ଉଦାହରଣ ସ୍ୱରୂପ ନିରଞ୍ଜନଙ୍କ ଅଧ୍ୟକ୍ଷତାରେ ଗଠିତ ରାଜ୍ୟ ମିଡିଆ ସେଲ୍ର ଅସ୍ତିତ୍ୱ ଲିଭିସାରିଛି। ମାତ୍ର ରାଜ୍ୟରେ ଥିବା କଂଗ୍ରେସର ଯୁବ, ମହିଳା, ଛାତ୍ର ଓ ସେବାଦଳ ଭଳି ସଂଗଠନ ଉପରେ ହାଇକମାଣ୍ଡଙ୍କ ବିଜ୍ଞପ୍ତିର କୌଣସି ପ୍ରଭାବ ପଡ଼ିବ ନାହିଁ। ସେମାନେ ପୂର୍ବବତ୍ ନିଜ ପଦ ବଜାୟ ରଖିବେ। ଜିଲ୍ଲା ନେତୃତ୍ୱ କିମ୍ବା ଜିଲ୍ଲା କମିଟି ମଧ୍ୟ କୌଣସି ପରିବର୍ତ୍ତନ ହେବ ନାହିଁ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ଥିବା ଭିନ୍ନ ଭିନ୍ନ ସଂଗଠନ ଉପରେ ପିସିସି ସଭାପତିଙ୍କର ଏକକ ଆଧିପତ୍ୟ ନାହିଁ। ରାଜ୍ୟ ଯୁବ କଂଗ୍ରେସ ସଭାପତି ଭାବେ ନିଯୁକ୍ତ ହେଉଥିବା ବ୍ୟକ୍ତିଙ୍କ କମିଟି ନିରଞ୍ଜନଙ୍କ ତତ୍ତ୍ୱାବଧାନରେ ସମାପନ ହୁଏ ଏକଥା ସତ, ମାତ୍ର ତାଙ୍କୁ ନିଯୁକ୍ତ କରିବାର ଦାୟିତ୍ୱ ରାଷ୍ଟ୍ରୀୟ ଯୁବ ନେତୃତ୍ୱଙ୍କ କ୍ଷମତାଧୀନ। ପ୍ରଦେଶ କଂଗ୍ରେସ କମିଟି ଭାବେ ନିଯୁକ୍ତ ହେବା ପରେ ନିରଞ୍ଜନ କରିଥିବା ନିର୍ବାଚନ ପ୍ରଚାର କମିଟି, ନିର୍ବାଚନ ଇସ୍ତାହାର କମିଟି, ରାଜ୍ୟ ସୋସିଆଲ୍ ମିଡିଆ ସେଲ୍ ଭଳି କମିଟିମାନ ହିଁ ଭାଙ୍ଗିଛି। ରାଜ୍ୟ କଂଗ୍ରେସ କୃଷକ ସେଲ୍ର ସଭାପତି ଅମିୟ ପଟ୍ଟନାୟକଙ୍କ କହିବା ଅନୁଯାୟୀ ଲୋକଙ୍କ ମଧ୍ୟରେ ଏବେ ଏକ ଭ୍ରାନ୍ତ ଧାରଣା ସୃଷ୍ଟି ହୋଇଛି। ରାଜ୍ୟରେ କାର୍ଯ୍ୟକାରୀ ଥିବା ସମସ୍ତ ସାମୁଖ୍ୟ ଅନୁଷ୍ଠାନ ଏବେ ମଧ୍ୟ ନିଜ ଦାୟିତ୍ୱରେ ବଳବତ୍ତର ରହିଛନ୍ତି। ମୋତେ ପଦ ତ୍ୟାଗ ନେଇ କୌଣସି ସୂଚନା ମିଳିନାହିଁ। ତେବେ ଅନ୍ୟପକ୍ଷରେ ସୁରେଶ ରାଉତରାୟ ଆଗାମୀ ୬ତାରିଖରେ କଂଗ୍ରେସର ହେବାକୁ ଥିବା ବୈଠକ ସମ୍ବନ୍ଧରେ ସୂଚନା ଦେଇଛନ୍ତି। ସେ ପ୍ରକାଶ କରିଛନ୍ତି ଯେ, ଦଳର ସଦସ୍ୟତା ଅଭିଯାନ ଆରମ୍ଭ ହେବା ନେଇ ଘୋଷଣା ଉକ୍ତ ବୈଠକରେ ହେବ। ଏହି ବୈଠକରେ ସଦସ୍ୟତା ଅଭିଯାନର ପରିଚାଳନା ପାଇଁ ଏକ କମିଟି ତିଆରି ହେବା ନେଇ ମଧ୍ୟ ଯୋଜନା ଚାଲିଛି। ତେବେ ଅନ୍ୟପକ୍ଷରେ ଦଳୀୟ ଶିବିରରେ ଏହା ମଧ୍ୟ ଚର୍ଚ୍ଚା ଯେ, ନିରଞ୍ଜନଙ୍କ ରାଜ୍ୟ କଂଗ୍ରେସ ମିଡିଆ ସେଲ୍ ପୁନଃ ସକ୍ରିୟ ହେବ। ସଦସ୍ୟତା ଅଭିଯାନ ସଂଗ୍ରହ ଅଭିଯାନରେ କଂଗ୍ରେସର ଦୁଇ ପ୍ରମୁଖ ରାଜନୀତିକ ଦଳ ଆଗରେ ରହିଛନ୍ତି।