କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ୱର, ଏନ୍ଏନ୍ଏସ୍: ପ୍ରଦେଶ କଂଗ୍ରେସ କମିଟିର ଓବିସି ସେଲ୍ ସାଧାରଣ ପରିଷଦ ବୈଠକ ଆଜି କଂଗ୍ରେସ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ତେବେ ଏହି ବୈଠକ ପୂର୍ବରୁ ଦଳର ଦୁଇ ଗୋଷ୍ଠୀ ପରସ୍ପର ମୁହାମୁହିଁ ହେବାରୁ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଏପରିକି ଖୋଦ୍ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଗାଳି ଗୁଲଜ, ମାରପିଟ୍ ଦେଖିବାକୁ ମିଳିଥିଲା। ଅବସ୍ଥା ଏପରି ହୋଇଥିଲା ଯେ କାର୍ଯ୍ୟକ୍ରମ ହେବାକୁ ଥିବା ମଞ୍ଚକୁ ମଧ୍ୟ ଗୋଟିଏ ଗୋଷ୍ଠୀ ଭାଙ୍ଗି ଦେଇଥିଲେ।

କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଥିବା ବେଳେ କଂଗ୍ରେସ ଭବନରେ ଓବିସି ସେଲର ଅଧ୍ୟକ୍ଷ ବିଷ୍ଣୁ ବାରିକ ପହଞ୍ଚିଥିଲେ। ତେବେ ତାଙ୍କୁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବିରୋଧ କରିଥିଲେ। ସେ ତିର୍ତ୍ତୋଲ ଉପନିର୍ବାଚନରେ ବିଜେଡି ସହ ହାତ ମେଳାଇଥିବାର ଅଭିଯୋଗ କରି ତାଙ୍କୁ କାର୍ଯ୍ୟକ୍ରମରେ ସାମିଲ କରାନଯାଉ ବୋଲି ଅଡ଼ି ବସିଥିଲେ ବିରୋଧୀ ଗୋଷ୍ଠୀ। ଏହାକୁ ନେଇ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା। ବିରୋଧୀ ଗୋଷ୍ଠୀ ଏବଂ ବିଷ୍ଣୁଙ୍କ ସମର୍ଥକଙ୍କ ମଧ୍ୟରେ ଧସ୍ତାଧସ୍ତି, ମାଡ଼ ମରାମରି ମଧ୍ୟ ଦେଖିବାକୁ ମିଳିଥିଲା। ଏପରିକି ବିଷ୍ଣୁଙ୍କୁ ବିରୋଧୀ ଗୋଷ୍ଠୀ କଂଗ୍ରେସ ଭବନର ଏକ ନିର୍ଦ୍ଦିଷ୍ଟ ରୁମରେ ବନ୍ଦ କରିଦେଇଥିଲେ। ଘଟଣାସ୍ଥଳରେ ବିଧାୟକ ସୁର ରାଉତରାୟ ଏବଂ ବରିଷ୍ଠ ନେତା ମାନସ ଚୌଧୁରୀ ସମସ୍ତଙ୍କୁ ବୁଝା ସୁଝା କରିବାକୁ ପ୍ରୟାସ କରିଥିଲେହେଁ ବିବାଦ ଥମିନଥିଲା।

ଏନେଇ ପିସିସି ସଭାପତି ପ୍ରତିକ୍ରିୟା ରଖି କହିଛନ୍ତି ଯେ ବିଶୃଙ୍ଖଳାକାରୀଙ୍କ ବିରୋଧରେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କୌଣସି ଲୋକ ଦଳୀୟ ଶୃଙ୍ଖଳାରୁ ଉର୍ଦ୍ଧ୍ୱରେ ନୁହଁନ୍ତି। ଯାହାର କିଛି ଆପତ୍ତି ଅଭିଯୋଗ ଅଛି ପିସିସି କିମ୍ବା ଏଆଇସିସିକୁ ଜଣାଇପାରିବେ। ଏପରିକି ବିଷ୍ଣୁଙ୍କ ବିରୋଧରେ ଆସିଥିବା ଅଭିଯୋଗର ମଧ୍ୟ ତଦନ୍ତ ହେବ ଏବଂ ତାପରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ। ସେପଟେ ଏନେଇ ବିଷ୍ଣୁ ବାରିକ କହିଛନ୍ତି ଯେ ମୁଁ ବର୍ତ୍ତମାନ କଂଗ୍ରେସ ଓବିସି ସେଲ୍ ଅଧ୍ୟକ୍ଷ ଅଛି। ୧୯୭୮ ମସିହାରୁ ମୁଁ କଂଗ୍ରେସ ସହ ରହିଛି। ମୋର ବିଜେଡି ସହ କୌଣସି ସମ୍ପର୍କ ନାହିଁ। ମୋ ସାନଭାଇର ସାଙ୍ଗ ବିଜେଡି ଏମଏଲଏ। ସେମାନେ ସାଙ୍ଗସାଥୀ ତେଣୁ, ଘରକୁ ଯିବାଆସିବା କରିପାରିବେ। ଏହାସହ ସେ ବିରୋଧୀ ଗୋଷ୍ଠୀ ଚିରଞ୍ଜୀବ ବିଶ୍ୱାଳଙ୍କ ଲୋକ ବୋଲି କହିବା ସହ ତାଙ୍କ ପ୍ରରୋଚନାରେ ଏସବୁ କାଣ୍ଡ ଘଟିଥିବା ଅଭିଯୋଗ କରିଛନ୍ତି। ଏପରିକି ପୂର୍ବରୁ ମଧ୍ୟ ନିର୍ବାଚନ ବେଳେ ତାଙ୍କୁ ଷଡ଼ଯନ୍ତ୍ର କରି ନିଜ ପଞ୍ଚାୟତରେ କୌଣସି ଦାୟିତ୍ୱ ଦିଆଯାଇନଥିବାର ବିଷ୍ଣୁ କହିଛନ୍ତି।