ଛତିଶଗଡ ସ୍ବାସ୍ଥ୍ୟମନ୍ତ୍ରୀ ଟିଏସ୍ ସିଂହଦେଓ ହେଲେ ଉପମୁଖ୍ୟମନ୍ତ୍ରୀ

ରାୟପୁର: ଛତିଶଗଡ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ମିଳିଲା ଉପମୁଖ୍ୟମନ୍ତ୍ରୀ ଦାୟିତ୍ବ । ଉପମୁଖ୍ୟମନ୍ତ୍ରୀ ହେଲେ ଟିଏସ୍ ସିଂହଦେଓ । ବୁଧବାର ରାତିରେ ବରିଷ୍ଠ କଂଗ୍ରେସ ନେତା ଟିଏସ ସିଂହଦେଓଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି । ଛତିଶଗଡ ବିଧାନସଭା ନିର୍ବାଚନ ପୂର୍ବରୁ ଏପରି ଗୋଟି ଚାଳନା କରିଛି କଂଗ୍ରେସ । ଏକ ବିବୃତ୍ତିରେ କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସିଂହଦେଓଙ୍କ ଉପମୁଖ୍ୟମନ୍ତ୍ରୀ ଭାବେ ପ୍ରସ୍ତାବକୁ ମୋହର ମାରିଛନ୍ତି ।
କେସି ବେଣୁଗୋପାଳ ଟ୍ବିଟ୍ କରିଛନ୍ତି ଯେ, ଉପମୁଖ୍ୟମନ୍ତ୍ରୀ ଭାବେ ଟିଏସ୍ ସିଂହଦେଓଙ୍କ ସେବାରେ ରାଜ୍ୟବାସୀ ଅନେକ ମାତ୍ରାରେ ଉପକୃତ ହେବ । ସିଂହଦେଓ ଜଣେ ସଚ୍ଚୋଟ କଂଗ୍ରେସ ନେତା ଏବଂ ଦକ୍ଷ ପ୍ରଶାସକ ମଧ୍ୟ । ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଆସନ୍ତା ନିର୍ବାଚନରେ ଛତିଶଗଡବାସୀ ପୁଣିଥରେ ପ୍ରଚଣ୍ଡ ବହୁମତରେ କଂଗ୍ରେସକୁ ନିର୍ବାଚିତ କରିବେ ବୋଲି ଆମର ବିଶ୍ବାସ ।
ଛତିଶଗଡରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଟ୍ବିଟ୍ କରି ଟିଏସ୍ ସିଂହଦେଓଙ୍କୁ ଅଭିନନ୍ଦନ ଜଣାଇବା ସହ ଆମେ ପ୍ରସ୍ତୁତ ବୋଲି ଉଲ୍ଲେଖ କରିଛନ୍ତି । କହିରଖୁଛୁ କି, ରାଜ୍ୟରେ ବାଘେଲଙ୍କୁ କାକା ଏବଂ ଟିଏସ୍ ସିଂହଦେଓଙ୍କୁ ବାବା ବୋଲି ସମ୍ବୋଧନ କରାଯାଏ । ୨୦୨୮ ବିଧାନସଭା ନିର୍ବାଚନରେ ବାଘେଲ ଓ ଟିଏସ୍ ସିଂହଦେଓଙ୍କ ଯୋଡି କଂଗ୍ରେସକୁ ନିର୍ବାଚନ ଜିତାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଚଳିତ ବର୍ଷ ଶେଷରେ ଛତିଶଗଡ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହି ଦୃଷ୍ଟିରୁ ଗତକାଲି(ବୁଧବାର) ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ବରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ସ୍ବାସ୍ଥ୍ୟମନ୍ତ୍ରୀ ଟିଏସ୍ ସିଂହଦେଓଙ୍କୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବାକୁ ନିଷ୍ପତ୍ତି ହୋଇଥିଲା । ବୈଠକରେ ଛତିଶଗଡରେ ନିର୍ବାଚନ ପ୍ରସ୍ତୁତି ଓ ରଣନୀତି ସମ୍ପର୍କରେ ଆଲୋଚନା ହୋଇଥିଲା ।