ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ବୈମାତୃକ ମନୋଭାବ: ଛାତ୍ର କଂଗ୍ରେସ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ମହାମାରୀ ସମୟରେ ଅଭିଭାବକମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି। ସମସ୍ତେ ସ୍କୁଲ, କଲେଜ ଫିସ୍ ଦେବାକୁ ଅସମର୍ଥ ହୋଇ ପଡ଼ିଛନ୍ତି। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ କେବଳ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷା ଫି ଛାଡ଼ କରିବା ଦୁର୍ଭାଗ୍ୟଜନକ। ଏହା ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପ୍ରତି ତାଙ୍କର ବୈମାତୃତ ମନୋଭାବକୁ ଦର୍ଶାଉଛି ବୋଲି ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଂପାଦକ ରୋସନଲାଲ୍ ବିଟୁ ଦୋଷାରୋପ କରିଛନ୍ତି।
ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବିଟୁ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପ୍ରାଇଭେଟ୍ ସ୍କୁଲ, କଲେଜରେ ପଢୁଥିବା ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଏଡାଇ ଯାଇଛନ୍ତି। ଅଭିଭାବକମାନେ ବର୍ତ୍ତମାନ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ବେଳେ ପ୍ରାଇଭେଟ୍ ସ୍କୁଲ, କଲେଜର ମାଲିକମାନେ ତଣ୍ଟି ଚିପି ଫିସ୍ ଆଦାୟ କରୁଛନ୍ତି। ଏନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ହେଲେ ମୁଖ୍ୟମନ୍ତ୍ରୀ ପ୍ରାଇଭେଟ୍ ସ୍କୁଲ ମାଲିକମାନଙ୍କ ସହିତ ମଧୁଚନ୍ଦ୍ରିକାରେ ଥିବାରୁ ସେ ଏହାର ଛାତ୍ରଛାତ୍ରୀମାନଙ୍କ ପ୍ରତି ଏପରି ମନୋଭାବ ପୋଷଣ କରିଛନ୍ତି।
ଏହି ଅବସରରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର୍ ନୱାଜ କହିଛନ୍ତି ଯେ ଏ ସଂପର୍କରେ ସେ ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କୁ ଯାଇ ସାକ୍ଷାତ କରିଥିଲେ। ମାତ୍ର ସରକାର ତାଙ୍କ ନିଷ୍ପତିରେ ରାଜ୍ୟର ଛାତ୍ରଛାତ୍ରୀଙ୍କୁ ଭଣ୍ଡେଇ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ ରାଜ୍ୟ ସରକାରଙ୍କର ଏ ସମ୍ପର୍କରେ ପଦକ୍ଷେପ ନେବାର ଅଧିକାର ରହିଛି। ମାତ୍ର କାହା ସ୍ୱାର୍ଥକୁ ଏପରି ସ୍ଥିତିରେ ସରକାର ପ୍ରାଧାନ୍ୟ ଦେଉଛନ୍ତି, ତାହା ଓଡ଼ିଶାର ସାଧାରଣ ଜନତା ବୁଝି ପାରୁଛନ୍ତି। ଯଦି ସରକାର ଏହି କରୋନା ପ୍ରଭାବିତ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ବିଚାରକୁ ନେଇ ୫୦ ପ୍ରତିଶତ ଫି ଛାଡ଼ନକରନ୍ତି, ତେବେ ଛାତ୍ର କଂଗ୍ରେସ ଏହି ପ୍ରସଙ୍ଗରେ ଆନ୍ଦୋଳନ କରିବ ବୋଲି ସେ ଚେତାବନୀ ଦେଇଛନ୍ତି।