ପ୍ଲାଜମା ପ୍ରଦାନ କରିଥିବା ଯୁବକଙ୍କୁ ସମ୍ବର୍ଦ୍ଧନା

ଆଳି,ଏନ୍ଏନ୍ଏସ୍: କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ପ୍ଲାଜମାରୁ ଅନ୍ୟ ଆକ୍ରାନ୍ତ ସୁସ୍ଥ ହେଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ଲାଜମା ବ୍ୟାଙ୍କ ଉଦଘାଟନ କରିଥିଲେ। ଏହି ଅବସରରେ ପ୍ରଥମେ କରୋନାରୁ ସୁସ୍ଥ ହୋଇଥିବା ୪ ବ୍ୟକ୍ତି ପ୍ଲାଜମା ପ୍ରଦାନ କରିଥିଲେ। ଏହି ପ୍ଲାଜମା ପ୍ରଦାନ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଳକ ନିଆଳ ପଞ୍ଚାୟତ ରାଧାନଗର ଗ୍ରାମର ମନୋଜ ବରାଳ। ମନୋଜ ଦୁବାଇରୁ ଫେରି ହୋମ କ୍ଵାରେଣ୍ଟାଇନରେ ଥିବା ଅବସ୍ଥାରେ ଜିଲ୍ଲାର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ସେ ସୁସ୍ଥ ହେବାପରେ ପ୍ରଥମ ବ୍ୟକ୍ତି ଭାବେ ପ୍ଲାଜମା ପ୍ରଦାନ କରିଥିଲେ। ତାଙ୍କ ପ୍ଲାଜମାରୁ ୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡିଛି। ମନୋଜ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରଥମ ପ୍ଲାଜମା ପ୍ରଦାନ କରିଥିବାରୁ ଆଳି ବିଜେଡି ପକ୍ଷରୁ ଶୁକ୍ରବାର ଦିନ ମନୋଜଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଶୁକ୍ରବାର ଦିନ ପୂର୍ବାହ୍ନରେ ଆଳି ବିଧାୟକ ପ୍ରତାପ କେଶରୀ ଦେବ ମନୋଜ ବରାଳଙ୍କ ରାଧାନଗର ସ୍ଥିତ ବାସ ଭବନରେ ପହଞ୍ଚି ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ସମୟରେ ବିଜେଡି ନେତା ଭୀଷ୍ମ ମହାନ୍ତି, ପ୍ରଦ୍ୟୁମ୍ନ ଦାଶ, ନିଆଳ ସରପଞ୍ଚ ପ୍ରତିନିଧି ଅଶୋକ ମଲ୍ଲିକ, ଦେମାଳ ସରପଞ୍ଚ ମନୋରଞ୍ଜନ ସାମଲ, ନିରଞ୍ଜନ ସେନାପତି, ସୁବ୍ରତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।