ଦୁଷ୍କର୍ମ ଅଭିଯୋଗରେ କନେଷ୍ଟବଳ ଗିରଫ

ପୁରୀ,ଏନ୍ଏନ୍ଏସ୍: ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡ଼ା ଥାନାର ଜଣେ କାର୍ୟ୍ୟରତ କନେଷ୍ଟବଳ ଦୁଷ୍କର୍ମ ଏବଂ ବ୍ଲାକମେଲିଂ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଜଣାଯାଇଛି। ସୂଚନା ଅନୁସାରେ କନେଷ୍ଟବଳ ଗଙ୍ଗାଧର ରାଉତ ଜଣେ ମହିଳାଙ୍କୁ ପାରିବାରିକ କଳହର ସମାଧାନ କରିବାର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଦୁଷ୍କର୍ମ କରି ତାଙ୍କୁ ବ୍ଲାକମେଲିଂ କରିଥିଲେ।
ମହିଳା ଜଣଙ୍କ ସତ୍ୟବାଦୀ ଥାନା ଜଇରାମପୁରର ଅଞ୍ଚଳର।

ପାରିବାରିକ କଳହ ସମ୍ପର୍କରେ ମହିଳା ଜଣଙ୍କ ଥାନାକୁ ଆସି ଅଭିଯୋଗ କରିଥିଲେ। ଏହି ସମୟରେ କନେଷ୍ଟବଳ ଗଙ୍ଗାଧର ରାଉତ ତାଙ୍କୁ ସହଯୋଗର ହାତ ବଢାଇଥିଲେ। ବିଭିନ୍ନ ପ୍ରତିଶ୍ରୁତି ଦେଇ ଗଙ୍ଗାଧର ସମ୍ପର୍କ ବଢାଇଥିଲେ। ସମ୍ପର୍କ ନିବିଡ଼ ହେବାପରେ ତାଙ୍କଠାରୁ କିଛି ଟଙ୍କା ଉଧାର ବି ନେଇଥିଲେ। ସରଳତାର ସୁଯୋଗ ନେଇ କନେଷ୍ଟବଳ ଗଙ୍ଗାଧର ତାଙ୍କ ସହ ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲେ।

ଏହାପରେ ୨୦୧୮ରେ ମହିଳା ଜଣକ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ମହିଳାଙ୍କ ଅଭିଯୋଗ ଆଧାରରେ କନେଷ୍ଟବଳଙ୍କୁ ନିଲମ୍ବନ କରାଯାଇଥିଲା। ଏହାପରେ ଗଙ୍ଗାଧର ଉଚ୍ଚ ନ୍ୟାୟାଳୟର ଦ୍ଵାରସ୍ଥ ହୋଇଥିଲେ। ତାଙ୍କୁ ଜାମିନ ବି ମିଳିଥିଲା। ଏବେ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପରେ ଗଙ୍ଗାଧରଙ୍କୁ ସତ୍ୟବାଦୀ ଥାନା ପୁଲିସ ଗତକାଲି ଗିରଫ କରିଥିବା ଜଣାଯାଇଛି।