ବିମୁଦ୍ରାକରଣକୁ ପୁରିଲା ୩ ବର୍ଷ; ୬୬% ଲୋକଙ୍କ ମତ: ପ୍ରଭାବ ନକାରାତ୍ମକ

ରିପୋର୍ଟ: ଏସ୍ ଶ୍ରୀକାନ୍ତ

ନୂଆଦିଲ୍ଲୀ: ଇତିମଧ୍ୟରେ ବିମୁଦ୍ରାକରଣ ବ୍ୟବସ୍ଥାକୁ ୩ ବର୍ଷ ପୁରିଛି। ୨୦୧୪ ନିର୍ବାଚନରେ ଏନଡିଏ ଦଳ କେନ୍ଦ୍ରରେ କ୍ଷମତାଶୀନ ହେବା ପରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଗଠନ କରିଥିଲା। ଏହାପରେ ପରେ ୨୦୧୬ ନଭେମ୍ବର ୮ ତାରିଖ ରାତିରେ ଆକସ୍ମିକ ଭାବେ ପ୍ରଧାନମନ୍ତ୍ରୀ ମୋଦୀ ବିମୁଦ୍ରାୟନ ସମ୍ପର୍କରେ ଘୋଷଣା କରିଥିଲେ। ଦୁର୍ନୀତି ଓ ଭ୍ରଷ୍ଟାଚାର ରୋକିବା, ସନ୍ତ୍ରାସବାଦୀଙ୍କୁ ପାଣ୍ଠି ଯୋଗାଣ ବନ୍ଦ କରିବା ଏବଂ କଳାଧନ ସମ୍ପର୍କରେ ପର୍ଦ୍ଦାଫାସ୍ କରିବା ଲକ୍ଷ୍ୟ ନେଇ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରି କହିଥିଲେ। ଦେଶରେ ପ୍ରଚଳିତ ମୋଟ ମୁଦ୍ରାର ୮୬ ପ୍ରତିଶତ ବନ୍ଦ ହୋଇଯିବ ବୋଲି କୁହାଯାଇଥିଲା। ଏହାକୁ ନେଇ ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ୍ର ପ୍ରଚଳନ ବନ୍ଦ କରିଦିଆଯାଇଥିଲା। ତେବେ ବିମୁଦ୍ରାୟନ ବ୍ୟବସ୍ଥାକୁ ନେଇ ଦେଶବାସୀ ବେଶ୍ କିଛି ଦିନ ଧରି ନାନା ସମସ୍ୟାର ସମ୍ମୁଖୀନ ହୋଇଥିଲେ।

ଦିନକୁ ଦିନ ଗୋଟିଏ ପରେ ଗୋଟିଏ ସମସ୍ୟା ଦେଖାଯାଇଥିଲା ବେଳେ ମୋଦୀ ସରକାର ବିରୋଧୀ ଦଳମାନଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନର ସମାଲୋଚନାର ପାତ୍ର ହୋଇଥିଲେ। ଏହାକୁ ନେଇ ସେବେ ଠାରୁ ଆଜି ଯାଏ ବିବାଦ ଥମି ନଥିବା ବେଳେ ବର୍ତ୍ତମାନ ମଧ୍ୟ କେହି କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପକୁ ଯଥାର୍ଥ ବୋଲି କହୁଥିବା ବେଳେ କେହି କେହି ମଧ୍ୟ ଏହି ପଦକ୍ଷେପ ବିଫଳ ହୋଇଥିବା କହୁଛନ୍ତି।

ତେବେ ଅନଲାଇନ ବ୍ୟବସ୍ଥାରେ ଏ ସମ୍ପର୍କରେ କରାଯାଇଥିବା ଏକ ଅନୁଧ୍ୟାନ ଅନୁଯାୟୀ , ଦେଶର ୬୬ ପ୍ରତିଶତ ଲୋକ ବିମୁଦ୍ରାୟନ ପ୍ରକ୍ରିୟା ଦେଶର ଅର୍ଥନୀତିରେ ନକାରାତ୍ମକ ପ୍ରଭାବ ସୃଷ୍ଟି କରିଛି ବୋଲି ମତ ଦେଇଛନ୍ତି। ଏହାବ୍ୟତୀତ ଦେଶରେ ବେରୋଜଗାର ସୃଷ୍ଟି ହେବାରେ ଏହା ମଧ୍ୟ ମୁଖ୍ୟ କାରଣ ବୋଲି ସେମାନେ କହିଛନ୍ତି। ବିମୁଦ୍ରାୟନ ପ୍ରକ୍ରିୟା କୌଣସି ନକାରାତ୍ମକ ପ୍ରଭାବ ପକାଇ ନାହିଁ ବୋଲି କେବଳ ୨୮ ପ୍ରତିଶତ ଲୋକ ମତ ଦେଇଛନ୍ତି।

ଅନ୍ୟପକ୍ଷରେ ୩୩ ପ୍ରତିଶତ ଲୋକ ଏସବୁଠାରୁ ଭିନ୍ନ ମତ ପୋଷଣ କରିଛନ୍ତି। ସେମାନଙ୍କ ମତ ଅନୁଯାୟୀ ବର୍ତ୍ତମାନ ଦେଶରେ ସୃଷ୍ଟି ହୋଇଥିବା ଆର୍ଥିକ ମାନ୍ଦାବସ୍ଥା ପାଇଁ ଏହି ବିମୁଦ୍ରାୟନ ବ୍ୟବସ୍ଥା ଦାୟୀ। ବିମୁଦ୍ରାୟନ ପୂର୍ବରୁ ଦେଶର ଅର୍ଥନୀତି ଦ୍ରୁତ ଗତିରେ ଅଭିବୃଦ୍ଧି ହାସଲ କରିଥିବା ବେଳେ ଏହା ପରେ ପରେ ଅର୍ଥନୀତିର ବିଭିନ୍ନ ଦିଗରେ ସଙ୍କଟ ସୃଷ୍ଟି ହୋଇ ଆଜି ମାନ୍ଦାବସ୍ଥା ସୃଷ୍ଟି ହୋଇଛି। ଯାହାକୁ ନେଇ କେନ୍ଦ୍ର ସରକାର ନିଜେ ମଧ୍ୟ ବାଉଳି ଚାଉଳି ହେଉଛନ୍ତି ବୋଲି ସେମାନେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ବିମୁଦ୍ରାୟନ ବ୍ୟବସ୍ଥା ଲାଗୁ କରାଯିବାର ପରବର୍ତ୍ତୀ କିଛି ମାସରେ ଅର୍ଥନୈତିକ ଅଭିବୃଦ୍ଧି ଜାରି ରହିଥିଲେ ହେଁ ପରେ ପରେ ବିଭିନ୍ନ କ୍ଷେତ୍ରରେ ମାନ୍ଦାବସ୍ଥା ଦେଖାଯାଇଥିଲା। ଯଦିଓ ୨୦୧୭-୧୮ ଆର୍ଥିକ ବର୍ଷରେ କିଛିଟା ପରିବର୍ତ୍ତନ ଘଟିଥିଲା, ତଥାପି ପରବର୍ତ୍ତୀ ସମୟରେ ଅଭିବୃଦ୍ଧିରେ ଅବନତି ଘଟି ଚାଲିଥିଲା ଯାହାକି ବର୍ତ୍ତମାନ ମଧ୍ୟ ଜାରି ରହିଛି। ବିଗତ ୫ଟି ତ୍ରୈମାସିକରେ ଜିଡିପି କ୍ରମାଗତ ଭାବେ ହ୍ରାସ ପାଇ ଚାଲିଛି। ଫଳତଃ ଚଳିତ ଆର୍ଥିକ ବର୍ଷରେ ଜିଡିପି ବିଗତ ବର୍ଷଗୁଡିକ ତୁଳନାରେ ସର୍ବନିମ୍ନ ରହିବ ବୋଲି ବିଭିନ୍ନ ସଂସ୍ଥାମାନଙ୍କ ପକ୍ଷରୁ ଆକଳନ କରାଯାଇଛି।

ତେବେ ଅଭିବୃଦ୍ଧି ଧିମେଇବା ପଛରେ କେବଳ ବିମୁଦ୍ରାୟନ ବ୍ୟବସ୍ଥା ଯେ ଏକମାତ୍ର କାରଣ ତାହା କୁହାଯାଇ ନପାରେ। ହେଲେ ଏହି ବ୍ୟବସ୍ଥାକୁ ନେଇ ଅଣସଂଗଠିତ କ୍ଷେତ୍ରଗୁଡିକରେ ବହୁଳ ସମସ୍ୟା ଦେଖାଯିବା ସହିତ ବିପୁଳ ସଂଖ୍ୟାରେ ଲୋକ ନିଯୁକ୍ତି ହରାଇଥିଲେ। ଅଣସଂଗଠିତ କ୍ଷେତ୍ରରେ ସର୍ବାଧିକ ଲୋକ ନିଯୁକ୍ତି ହରାଇବାର ମୁଖ୍ୟ କାରଣ ବିମୁଦ୍ରାୟନ ବୋଲି ଏସମ୍ପର୍କରେ କରାଯାଇଥିବା ଏକ ସର୍ଭେରେ ୩୨ ପ୍ରତିଶତ ଲୋକ ମତ ଦେଇଛନ୍ତି।