କରୋନା ପରୀକ୍ଷା ପାଇଁ ପ୍ରତିଯୋଗିତା

ଦେବଗଡ଼,ଏନ୍ଏନ୍ଏସ୍: ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ମହାମାରୀ ସଂପ୍ରତି ସୁନାମି ରୂପ ଧାରଣ କରିସାରିଥିବା ବେଳେ ଏହାକୁ ନେଇ ସାରା ଦେଶ ଆତଙ୍କିତ ଅବସ୍ଥାରେ ରହିଛି। କରୋନା ମହାମାରୀକୁ ରୋକିବା ପାଇଁ ସରକାର ତୃଣମୂଳ ସ୍ତରରୁ ବ୍ୟାପକ ଉଦ୍ୟମ କରିଥିଲେ ମଧ୍ୟ ଦାୟିତ୍ୱରେ ଥିବା ବିଭାଗ ଏବଂ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ଅଭାବରେ ଅନେକ ସ୍ଥାନରେ କୋଭିଡ ପରିଚାଳନା ବିଫଳ ହେଉଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ଆଜି ମଧ୍ୟ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସମାନ ଚିତ୍ର ଦେଖିବାକୁ ମିଳିଛି।

ଦେବଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ଗ୍ରାଫ ଉପରମୁହାଁ ହେଉଥିବା ବେଳେ ସହରାଞ୍ଚଳରୁ ଗ୍ରାମାଞ୍ଚଳ ଯାଏଁ ପ୍ରତ୍ୟେକ ଦିନ ଶହ ଶହ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଜନସାଧାରଣଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଉଥିବା ଆଣ୍ଟିଜେନ ଏବଂ ଆରଟିପିସିଆର ପରୀକ୍ଷା ପାଇଁ ବ୍ୟାପକ ପ୍ରଚାର ପ୍ରସାର ଫଳରେ ଜନସାଧାରଣଙ୍କ ଠାରେ ମଧ୍ୟ ଏହି ସବୁ ପରୀକ୍ଷା କରାଇବା ପାଇଁ ଆଗ୍ରହ ପ୍ରକାଶ ପାଇଛି। ଫଳରେ ଦୈନିକ ଶହ ଶହ ଜନସାଧାରଣ ଏହି ପରୀକ୍ଷା ପାଇଁ ଖରାରେ ଲମ୍ବା ଧାଡିରେ ଛିଡା ହେଉଥିବା ଦେଖିବାକୁ ମିଳିଛି। ମାତ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାବ ସଂଗ୍ରହ ପାଇଁ ରହିଥିବା ସରକାରୀ ନିର୍ଦ୍ଦେଶାବଳୀକୁ ଅଣଦେଖା କରାଯାଇ ଖୋଲା ଆକାଶ ତଳେ ବିନା ସୁରକ୍ଷା କିଟରେ କର୍ମଚାରୀ ମାନେ ସ୍ୱାବ ସଂଗ୍ରହ କରୁଛନ୍ତି। ଏହି ସମୟରେ ଜନସାଧାରଣ ସାମାଜିକ ଦୂରତାକୁ ଭୁଲି ପରୀକ୍ଷା ପାଇଁ ନିଜ ନିଜ ମଧ୍ୟରେ ପ୍ରତିଯୋଗିତା କରୁଥିବା ଦେଖିବାକୁ ମିଳିଛି।

କର୍ମଚାରୀ ଅଭାବ ସାଙ୍ଗକୁ ପ୍ରବଳ ଜନ ଗହଳି, ସ୍ୱାବ ସଂଗ୍ରହ କରୁଥିବା କର୍ମଚାରୀଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି। ଗୋଟିଏ ସ୍ଥାନରେ ବିନା ସାମାଜିକ ଦୂରତାରେ ଛିଡା ହୋଇ ସଂକ୍ରମିତ ଓ ଅଣସଂକ୍ରମିତ ଏକାକାର ହେଉଥିବାରୁ ସଂକ୍ରମଣର ଆଶଙ୍କା ମଧ୍ୟ ଦ୍ୱିଗୁଣିତ ହୋଇଯାଇଛି। ସେହିପରି ଜନଗହଳିକୁ ଏଡାଇବାକୁ ଯାଇ ଦାୟିତ୍ୱରେ ଥିବା କର୍ମଚାରୀ ମାନେ ସ୍ୱାବ ସଂଗ୍ରହ ସ୍ଥଳରେ ହିଁ ଚିହ୍ନଟ ସଂକ୍ରମିତଙ୍କୁ କରୋନା ଔଷଧ ହାତରେ ଧରାଇ କୌଣସି ମାର୍ଗ ଦର୍ଶନ ବିନା ସେମାନଙ୍କୁ ନିଜ ନିଜ ଘରକୁ ପଠାଇ ଦେଉଛନ୍ତି। ସଂକ୍ରମିତ ବ୍ୟକ୍ତିମାନେ ମଧ୍ୟ ଜନ ଗହଳି ପୂର୍ଣ୍ଣ ରାସ୍ତା ଦେଇ ଯିବାଆସିବା କରୁଥିବାରୁ ବିଭିନ୍ନ ୱାର୍ଡରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ମଧ୍ୟ ସଂକ୍ରମଣର ଆଶଙ୍କା ରହିଛି। ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମନୋଜ କୁମାର ଉପାଧ୍ୟାୟଙ୍କ ମତାମତ ଲୋଡିବାରୁ ସେ ଘଟଣାକୁ ସ୍ୱୀକାର କରିବା ସହ ଜନସାଧାରଣଙ୍କ ସହଯୋଗ ପାଇଁ ଅନୁରୋଧ କରିଛନ୍ତି।