ଏମସିଏଲ ବିସ୍ଥାପିତ ଭୂମିହୀନଙ୍କୁ କ୍ଷତିପୂରଣ ଓ ଥଇଥାନ ଦାବି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଏମସିଏଲ ବିସ୍ଥାପିତ ତଥା କ୍ଷତିଗ୍ରସ୍ତ ଭୂମିହୀନଙ୍କୁ ଉପଯୁକ୍ତ କ୍ଷତିପୂରଣ ସହ ଥଇଥାନ ପ୍ରଦାନ କରିବା ପାଇଁ ଲଖନପୁର କୋଇଲା ଖଣି ବିସ୍ଥାପିତ ସଂଗ୍ରାମ ସମିତି ପକ୍ଷରୁ ଦାବି କରାଯାଇଛି। ଏଥିପାଇଁ ସମିତି ପକ୍ଷରୁ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର, ବ୍ରଜରାଜନଗର ଅଞ୍ଚଳରେ କୋଇଲା ଉତ୍ତୋଳନ ପାଇଁ ଏମସିଏଲ ପକ୍ଷରୁ ସହସ୍ରାଧିକ ଭୂମିହୀନ ପ୍ରଜା ବିସ୍ଥାପିତ ହୋଇଛନ୍ତି। ହେଲେ ଏମସିଏଲ ଦ୍ୱାରା ବିସ୍ଥାପିତ ହୋଇଥିବା ଖଏରକୁନି, ଟିଙ୍ଗିସମାଲ, ସାହାଜବାହାଲ, ଦର୍ଲିପାଲି, ଖୁଟମହୁଲ ଗ୍ରାମର ୨୩୭ରୁ ଉର୍ଦ୍ଧ୍ୱ ଭୂମିହୀନଙ୍କୁ ଏଯାବତ କ୍ଷତିପୂରଣ ପ୍ରଦାନ କରାଯାଇ ନାହିଁ। ଏମସିଏଲ ପକ୍ଷରୁ ଏହି ଭୂମିହୀନଙ୍କୁ ଚିହ୍ନଟ କରାଯାଇ ଏକକାଳୀନ କ୍ଷତିପୂରଣ ରାଶି ପରିବାର ପ୍ରତି ୬ ଲକ୍ଷ ଟଙ୍କା ଦରରେ ୧୪.୨୨ କୋଟି ଟଙ୍କା ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ପାଖରେ ଜମା କରିଥିବା ଗତ ଆରପିଡିଏସି ବୈଠକରେ ପ୍ରକାଶ କରାଯାଇଛି। କିନ୍ତୁ ଏହି ଭୂମିହୀନଙ୍କଠାରୁ ଅନେକ ନିଜର ଘରଦ୍ୱାର ଏମସିଏଲକୁ ହସ୍ତାନ୍ତର କରିସାରିଥିଲେ ହେଁ ସେମାନଙ୍କୁ କ୍ଷତିପୂରଣ ଓ ଥଇଥାନ ପ୍ରଦାନ କରାଯାଇ ନାହିଁ। ତେଣୁ ଜିଲ୍ଲା ପ୍ରଶାସନ ଓ ଏମସିଏଲ କର୍ତୃପକ୍ଷ ଏହି ବିସ୍ଥାପିତଙ୍କୁ ଶୀଘ୍ର କ୍ଷତିପୂରଣ ଓ ଥଇଥାନ ପ୍ରଦାନ କରୁ ବୋଲି ଲଖନପୁର କୋଇଲା ଖଣି ବିସ୍ଥାପିତ ସଂଗ୍ରାମ ସମିତି ପକ୍ଷରୁ କୁହାଯାଇଛି।