ଦେବଗଡ଼,ଏନ୍ଏନ୍ଏସ୍: ରିଆମାଳ ବ୍ଲକ ଲକ୍ଷ୍ମୀପୁର ଗ୍ରାମରେ ଗତ ଜୁଲାଇ ୧ ତାରିଖରେ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୭ ବର୍ଷୀୟ ଶିଶୁପୁତ୍ର ୨ଟି ହାତ ହରାଇଥିଲେ । ଉକ୍ତ ଘଟଣାରେ କ୍ଷତିପୂରଣ ଦାବିରେ ଆଜି ପୂର୍ବାହ୍ନରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଉମାଶଙ୍କର ସାହୁଙ୍କ ନେତୃତ୍ୱରେ ବହୁଦଳୀୟ କାର୍ଯ୍ୟକର୍ତା ଟିପିଡବ୍ଲ୍ୟୁଓଡିଏଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏଥିରେ ଟିପିଡବ୍ଲ୍ୟୁଓଡିଏଲ ଅଧିକାରୀ ଓ କର୍ମଚାରୀଙ୍କ ଅବହେଳା ଯୋଗୁ ୧୧କେଭି ବିଦ୍ୟୁତ ତାର ଶିଶୁପୁତ୍ର ମୁନା ମାଝୀଙ୍କ ସଂସ୍ପର୍ଶରେ ଆସିବାରୁ ସେ ୨ ହାତ ହରାଇ ଥିବା ଅଭିଯୋଗ ହୋଇଛି । ମୁନାର ପରିବାର ଶ୍ରମିକ ଶ୍ରେଣୀର ହୋଇଥିବା ଯୋଗୁ ଏକମାତ୍ର ପୁଅର ଚିକିତ୍ସା କରାଇବାରେ ଅସମର୍ଥ ହୋଇଥିବା ଉଲ୍ଲେଖ କରାଯାଇଛି । ଅନ୍ୟପଟେ ୨ ହାତ ହରାଇ ଦିବ୍ୟାଙ୍ଗ ହୋଇଥିବା ମୁନାର ଭବିଷ୍ୟତକୁ ସୁରକ୍ଷିତ କରିବା ଲାଗି ବିଦ୍ୟୁତ ବିତରଣ କମ୍ପାନୀ ଟିପିଡବ୍ଲ୍ୟୁଓଡିଏଲ କର୍ତ୍ତୃପକ୍ଷ ପୀଡ଼ିତ ତା’ ନାମରେ ୨୫ ଲକ୍ଷ ଟଙ୍କାର ସ୍ଥାୟୀ ବ୍ୟାଙ୍କ ଜମା ଖାତା ଖୋଲିବାକୁ ଜିଲ୍ଲା କଂଗ୍ରେସ ଦାବୀ କରିଛି । ଏହାସହ ଆଗାମୀ ମାସକ ମଧ୍ୟରେ ଦାବୀ ପୂରଣ ନହେଲେ ଦଳ ପକ୍ଷରୁ ଆନ୍ଦୋଳନ ଜୋରଦାର କରାଯିବ ଏବଂ ଯଦି କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜେ ସେଥିପାଇଁ ବିଦ୍ୟୁତ ବିତରଣ କମ୍ପାନୀ ଟିପିଡବ୍ଲ୍ୟୁଓଡିଏଲ ସମ୍ପୂର୍ଣ ଦାୟୀ ରହିବ ବୋଲି ଲିଖିତ ଚେତାବନୀ ଦିଆଯାଇଛି । ଏହି ସମୟରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସେମ ହେମ୍ରାମ, ମହିଳା କଂଗ୍ରେସ ସଭାନେତ୍ରୀ ମଞ୍ଜୁଲତା ନାୟକ, ପୂର୍ବତନ ନଗରପାଳ ନେତ୍ରାନନ୍ଦ ସାମଲ, ମଞ୍ଜୁଳ ନାୟକ, ଉପସଭାପତି ସୁବାଷ ଚନ୍ଦ୍ର ଭୋଇ, ନଗର ସଭାପତି ପ୍ରକାଶ କୁମାର ଦେବତା, ବରିଷ୍ଠ କଂଗ୍ରେସ ନେତା ପ୍ରମୋଦ କୁମାର ମିଶ୍ର, କ୍ଷିତୀଶ କୁମାର ପ୍ରଧାନ, ବସନ୍ତ କୁମାର ମିଶ୍ର, ଆମର୍ଜିତ ବାର୍ଲାଙ୍କ ସମେତ ବହୁ ଦଳୀୟ ପଦାଧିକରୀ ଓ କର୍ମୀ ଉପସ୍ଥିତ ଥିଲେ ।