ହକି ମ୍ୟାଚ ପାଇଁ ରାଜଧାନୀରେ ଟ୍ରାଫିକ କଟକଣା

ଭୁବନେଶ୍ଵର,ଏନ୍ଏନ୍ଏସ୍: ରାଜଧାନୀର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେଉଛି ଏଫଆଇଏଚ ହକି ଅଲିମ୍ପିକ୍ସ କ୍ବାଲିଫାୟାର୍ସ ମ୍ୟାଚ। ଶୁକ୍ରବାର ସନ୍ଧ୍ୟାରେ ପ୍ରଥମ ମ୍ୟାଚ ଆରମ୍ଭ ହେବ। ତେଣୁ ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜଧାନୀରେ ଟ୍ରାଫିକ କଟକଣା ଲାଗୁ କରାଯାଇଛି। ଜୟଦେବ ବିହାରରୁ ଶାସ୍ତ୍ରୀନଗର ରାସ୍ତାରେ ଅନଧିକୃତ ଗାଡ଼ି ଯାତାୟାତ ବନ୍ଦ ରହିବ ବୋଲି କମିଶନରେଟ ପୁଲିସ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି।

ସେହିପରି ୧୨୦ ବାଟାଲିୟନରୁ ଗାଡ଼ିଗୁଡ଼ିକ ଶାସ୍ତ୍ରୀନଗରରୁ ସଚିବାଳୟ ମାର୍ଗରେ ଯିବେ। ଷ୍ଟାଡିୟମ ପାର୍ଶ୍ଵରୁ ଆସିବାକୁ ଥିବା ଗାଡ଼ି ଜୟଦେବବିହାରରୁ ଆଚାର୍ୟ୍ୟ ବିହାର ପଟକୁ ଯିବେ। ବାଣୀବିହାର ପଟୁ ଆସୁଥିବା ଗାଡ଼ିକୁ କଳିଙ୍ଗ ଷ୍ଟାଡିୟମ ପଟକୁ ଛଡ଼ାଯିବ ନାହିଁ। ଉକ୍ତ ଗାଡ଼ିଗୁଡ଼ିକ ଆଚାର୍ୟ୍ୟବିହାର-ଜୟଦେବ ବିହାର ରାସ୍ତାରେ ଯାତାୟାତ କରିବେ।

ଖେଳ ଦେଖିବାକୁ ଆସୁଥିବା ଦର୍ଶକମାନେ ୩ ନମ୍ବର ଗେଟ୍‌ ଦେଇ ପ୍ରବେଶ କରିବେ। ଅପରାହ୍ନ ୪ଟାରୁ ଷ୍ଟାଡିୟମ ଭିତରକୁ ପ୍ରବେଶ ଆରମ୍ଭ ହେବ। ଏଜି କଲୋନୀ ଆଡୁ ଆସୁଥିବା ଦର୍ଶକ ଫୁଟ ଓଭରବ୍ରିଜ ଦେଇ ପ୍ରବେଶ କରିବାର ବ୍ୟବସ୍ଥା ହୋଇଛି।