ନୂଆଦିଲ୍ଲୀ,ଏଜେନ୍ସି: ମହଙ୍ଗା ହେଲା ବ୍ୟବସାୟିକ ଏଲପିଜି ସିଲିଣ୍ଡର। ଆଜି(ଶୁକ୍ରବାର) ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ପିଛା ୨୦୫ ଟଙ୍କା ବୃଦ୍ଧି ପାଇଛି। ଏହି ବୃଦ୍ଧି ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର ୨,୨୫୩ ଟଙ୍କା ହୋଇଯାଇଛି। ସେହିପରି କୋଲକାତାରେ ଏହି ଗ୍ୟାସ୍ ଦର ୨,୩୫୧ ଟଙ୍କାକୁ ବୃଦ୍ଧି ପାଇଛି। ଦେଶବ୍ୟାପୀ ଆଜିଠୁ ଏହି ନୂଆ ଦର ଲାଗୁ ହୋଇଛି।
ବାଣିଜ୍ୟ ନଗରୀ ମୁମ୍ବାଇରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ଦାମ୍ ୨୨୦୫ ଟଙ୍କା ହୋଇଥିବାବେଳେ ଚେନ୍ନାଇରେ ଦାମ୍ ୨୪୦୬ ଟଙ୍କାକୁ ବୃଦ୍ଧି ପାଇଛି। ରେସ୍ତୋରାଁ, ଚା ଷ୍ଟଲ ଏବଂ ଅନ୍ୟ ଭୋଜନାଳୟ ଗୁଡିକ ବ୍ୟବସାୟିକ ସିଲିଣ୍ଡରର ବଡ ଉପଭୋକ୍ତା ଅଟନ୍ତି। ତେଣୁ ଗ୍ୟାସ ଦାମ୍ ବଢିବା ସହ ଖାଦ୍ୟପଦର୍ଥ ମଧ୍ୟ ମହଙ୍ଗା କରିପାରନ୍ତି ଭୋଜନାଳୟ ମାଲିକ।
ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦାମ୍ ବଢିଥିଲେ ହେଁ ୧୪.୨ କିଲୋଗ୍ରାମ୍ ଅଣ-ସବସିଡି ଯୁକ୍ତ ଘରୋଇ ଏଲ୍ପିଜି ସିଲିଣ୍ଡର ମୂଲ୍ୟ ଅପରିବର୍ତ୍ତିତ ରହିଛି। ବର୍ତ୍ତମାନ ଦିଲ୍ଲୀରେ ଏହି ସିଲିଣ୍ଡର ଦାମ ୯୪୯.୫୦ ଟଙ୍କା ଥିବାବେଳେ ଅନ୍ୟ କିଛି ସ୍ଥାନରେ ୧୦୦୦ ଟଙ୍କା ରହିଛି। ମାର୍ଚ୍ଚ ୨୨ ତାରିଖରେ ଘରୋଇ ରନ୍ଧନ ଗ୍ୟାସ ଦର ୫୦ ଟଙ୍କା ବଢିଥିଲା। କହିରଖୁଛୁ କି, ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପ୍ରତିମାସରେ LPG ସିଲିଣ୍ଡର ଦରରେ ପରିବର୍ତ୍ତନ କରାଯାଇଥାଏ।