ପାଟଣାଗଡ଼,ଏନ୍ଏନ୍ଏସ୍: ସ୍ଥାନୀୟ ଧୁମାଭଟା ରୋଡରେ ଜଣେ ଛାତ୍ରୀ କଲେଜକୁ ଯାଉଥିବାବେଳେ ୬୦୯ ଗାଡ଼ି ଧକ୍କାରେ ତାଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଜବାହରଲାଲ ମହାବିଦ୍ୟାଳୟରେ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ସ୍ମିତା ଶୁଭଦର୍ଶିନୀ ପ୍ରଧାନ । ମିଳିଥିବା ରିପୋର୍ଟ ମୁତାବକ, ସକାଳ ପ୍ରାୟ ୧୦ଟା ୩୦ ମିନିଟରେ ସ୍ମିତା କଲେଜ ଯାଉଥିବାବେଳେ କଲେଜ ଛକରେ ପଛପଟୁ ଆସୁଥିବା ଏକ ୬୦୯ ଗାଡ଼ି ଧକ୍କା ଦେଇଥିଲା । ଛାତ୍ରୀ ଜଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପାଟଣାଗଡ଼ ଡକ୍ତରଖାନା ନିଆଯିବା ପରେ ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗିର ଭୀମଭୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବାବେଳେ ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା । ପାଟଣାଗଡ଼ ପୁଲିସ ଗାଡ଼ି ସହ ଚାଳକଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି । ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ସମଗ୍ର ମହାବିଦ୍ୟାଳୟରେ ଶୋକର ଛାୟା ଖେଳିଯାଇଛି । କଲେଜ ପକ୍ଷରୁ ଛାତ୍ରୀଙ୍କ ପାଇଁ ଏକ ଶୋକସଭା କରାଯାଇଥିଲା । ମୃତ ଛାତ୍ରୀଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ଉପଜିଲ୍ଲାପାଳଙ୍କୁ ଭେଟିବାକୁ ଯାଉଥିବାବେଳେ ପାଟଣାଗଡ଼ ପୁଲିସ ଓ ପ୍ରଶାସନ କଲେଜକୁ ଯାଇ ଆଲୋଚନା କରିଥିଲେ । ଏହି ସମୟରେ ପାଟଣାଗଡ଼ ବିଧାୟକ ପହଞ୍ଚି ସେଠାରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ଓ ମୃତ ଛାତ୍ରୀଙ୍କ ପରିବାରକୁ ରେଡକ୍ରସ ତରଫରୁ ୨୦ ହଜାର ଟଙ୍କା ଓ ନିଜେ ବିଧାୟକ ୧୦ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହାସହ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ସରକାରୀ ସାହାଯ୍ୟ ଦେବା ପାଇଁ କହିଥିଲେ । ଛାତ୍ରଛାତ୍ରୀଙ୍କ ଦାବୀରେ କଲେଜ ପରିସରକୁ ଗାଡ଼ି ଚଳାଚଳ ବନ୍ଦ, ସହରରେ ଥିବା ସମସ୍ତ ସ୍କୁଲ ଓ କଲେଜ ପରିସର ସମ୍ମୁଖରେ ସ୍ପୀଡ଼ ବ୍ରେକର ଲଗାଇବା ଓ ସମସ୍ତ ଶିକ୍ଷାନୁଷ୍ଠାନ ପାଖରେ ଦେଶୀ ମଦ ଦୋକାନ ଉଠାଇବା ସାମିଲ ରହିଛି । ଉପରୋକ୍ତ ସମସ୍ତ ଦାବୀ ଆସନ୍ତା ୭ ଦିନ ମଧ୍ୟରେ କାର୍ଯ୍ୟକାରୀ ହେବ ବୋଲି ତହସିଲଦାର ଓ ଏସଡିପିଓ କହିଛନ୍ତି । ଏହାର ସମାଧାନ ନ ହେଲେ ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଆସିବେ ବୋଲି ଚେତାବନୀ ଦେଇଛନ୍ତି ।